ସୁଧୁରୁନି ହଳଦୀପଦା ଷ୍ଟେଶନ ସମସ୍ୟା

ରୂପସା, ୧୨।୩(ଡି.ଏନ.ଏ.) ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନ ସମସ୍ୟା ସମାଧାନ ହେଉନାହିଁ। ଦାବି ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ପ୍ରତିବାଦରେ ଆସନ୍ତା ୧୮ତାରିଖରେ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ରେଳରୋକୋ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଷ୍ଟେଶନରେ ପୂର୍ବଭଳି ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ରହଣି କରିବା, ରିଜର୍ଭେଶନ କାଉଣ୍ଟର ଖୋଲାଯିବା, ନିଧିପଣ୍ଡା ପୋଲ ଉପରେ ବ୍ରିଜ ନିର୍ମାଣ, ଷ୍ଟେଶନରେ ଏଟିଏମ, ପାନୀୟ ଜଳ ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା, ଖଡ଼ଗପୁର-ଜଳେଶ୍ୱର ମେମୋ ଲୋକାଲ ଟ୍ରେନ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ୧୦ ଦଫା ଦାବି ପୂରଣ ପାଇଁ ବାରମ୍ବାର ପ୍ରଗତିମଞ୍ଚ ପକ୍ଷରୁ ରେଳ ବିଭାଗ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦୨୧ ଫେବୃୟାରୀ ୧୫ରେ ରେଳରୋକୋ ଆନ୍ଦୋଳନ ପରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ମିଳିବା ପରେ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ବିଭାଗୀୟ ପଦକ୍ଷେପ ନିଆ ନ ଯିବାରୁ ପୁଣି ୨୦୨୧ ଏପ୍ରିଲ ୫ ଓ ମେ’ ୧୦ରେ ରେଳରୋକୋ ଡାକରା ଦିଆଯାଇଥିଲା। ବାରମ୍ବାର ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ହେଉ ନ ଥିବାରୁ ଆସନ୍ତା ୧୮ ତାରିଖରେ ପୁଣି ରେଳରୋକୋ ହେବ ବୋଲି ମଞ୍ଚର ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ରାଧାକୃଷ୍ଣ ସାହୁ, ଚୈତନ୍ୟ ପ୍ରସାଦ ସାହୁ ଓ ସନ୍ନ୍ୟାସୀ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share