ଭୁବନେଶ୍ୱର, ୧୨।୧(ବ୍ୟୁରୋ): କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ଡା. ସୁଧାଂଶୁ ମିଶ୍ରଙ୍କୁ ଏସ୍ସିବି ମେଡିକାଲ କଲେଜର ନୂତନ ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବ୍ରହ୍ମପୁର ଏମ୍କେସିଜିର ଆନାସ୍ଥେସିଆ ବିଭାଗର ପ୍ରଫେସର ଡା. ବସନ୍ତ କୁମାର ପ୍ରଧାନଙ୍କୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ(କେଏମ୍ସି)ର ଡିନ୍ ଓ ପ୍ରିନ୍ସିପାଲ ଏବଂ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଆନାସ୍ଥେସିଆ ବିଭାଗର ପ୍ରଫେସର ଡା. ହରକ୍ରିଷ୍ଣ ଦଳାଇଙ୍କୁ ଏହାର ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି।