ଆବାସ ସାତସପନକୁ କ୍ୟାନ୍‌ସର କରୁଛି କଲବଲ

ଆଳି,୧୪ା୯(ଡି.ଏନ.ଏ.): ଆବାସ ଗୃହ ସାତସପନ ପାଲଟିଥିବା ବେଳେ କ୍ୟାନସର ରୋଗ କରୁଛି କଲବଲ। ଘରଟିଏ ନ ଥିବାରୁ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଏବେ ବାଧକ ସାଜିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସହିରା ଗଁାରେ। ଗ୍ରାମର ବଳରାମ ସାହୁଙ୍କ ପରିବାରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବଳରାମଙ୍କର ଘର ନ ଥିବାରୁ ପରିବାର ସହ ଗ୍ରାମ କ୍ଲବ ଘରେ ରହଛନ୍ତି। ତାଙ୍କ ପତ୍ନୀ ମଞ୍ଜୁଲତା କର୍କଟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବଳରାମଙ୍କ ପରିବାର କହିଲେ, ପତ୍ନୀ ମଞ୍ଜୁଲତା, ଝିଅ ସୋନାଲି ଓ ପୁଅ ପ୍ରୟାସ। ବଳରାମ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଯାହା ରୋଜଗାର କରୁଥିଲେ ସେଥିରେ ହସଖୁସିରେ ସଂସାର ଚାଲିଥିଲା। ହସଖୁସିର ଏହି ପରିବାର ଉପରକୁ ମାଡି ଆସିଥିଲା ଗୋଟିଏ ପରେ ଗୋଟିଏ ବିପଦ। ୨୦୧୯ ଏପ୍ରିଲରେ ହୋଇଥିବା ବାତ୍ୟା ଫନିରେ ବଳରାମଙ୍କ ପରିବାର ରହୁଥିବା ଘରଟି ଭାଙ୍ଗି ଯାଇଥିଲା। ପରେ ସେମାନେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ତତ୍କାଳୀନ ଜିଲାପାଳ ସମର୍ଥ ବର୍ମା ସେହି ସମୟରେ ତାଙ୍କ ଘର ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାରକୁ ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୩ ବର୍ଷ ବିତି ଯାଇଥିବା ବେଳେ ତାଙ୍କୁ ଆବାସଟିଏ ମିଳି ନ ଥିବାରୁ ସେ ବିଭିନ୍ନ ଲୋକଙ୍କ ଘରେ ଆଶ୍ରୟ ନେବା ପରେ ଦୀର୍ଘଦିନ ହେବ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି। ଅପରପକ୍ଷରେ ବଳରାମଙ୍କ ପତ୍ନୀ ମଞ୍ଜୁଲତା ଦୀର୍ଘ ଦୁଇବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ବଳରାମ ପତ୍ନୀ ମଞ୍ଜୁଲତାଙ୍କୁ ଭଲ କରିବା ନିମନ୍ତେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଋଣ କରି ଅପରେଶନ କରାଇଛନ୍ତି। ମଞ୍ଜୁଲତା ଅପରେଶନ ହେବା ପରେ ଏବେ ପ୍ରତି ମାସ ଚେକଅପ ହେବାକୁ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହି ଟଙ୍କା ଯୋଗାଡ଼ କରିବା ବଳରାମଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଅପରପକ୍ଷରେ ପୁଅ ଓ ଝିଅ ବିଦ୍ୟାଳୟରେ ପାଠ ପଢ଼ୁଥିବା ସେମାନଙ୍କ ଖର୍ଚ୍ଚ ଉଠାଇବା ବଳରାମଙ୍କ ପାଇଁ କଷ୍ଟକର ହୋଇପଡିଛି। ବଳରାମଙ୍କୁ ଦିନେ କାମ ମିଳିଲେ ଦିନେ ନାହିଁ। ଏଭଳି ଅବସ୍ଥାରେ ବଳରାମ ଦିନ ଅତିବାହିତ କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଓ ଚିକିତ୍ସା ନିମନ୍ତେ ଅର୍ଥ ସହାୟତା କରିବାକୁ ବଳରାମ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି।