Advertisement

ଆଧାର କାର୍ଡ ପାଇଁ ହୀନସ୍ତା

ବୈଶିଙ୍ଗା, ୨୩ା୧ (ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ଲୋକଙ୍କୁ ଆଧାରକାର୍ଡ ପାଇଁ ହୀନସ୍ତା ହେବାକୁ ପଡୁଛି। ନୂଆ ଆଧାର କାର୍ଡ ବନାଇବା କିମ୍ବା ପୁରୁଣା କାର୍ଡରେ ଆବଶ୍ୟକ ସଂଶୋଧନ କରିବା, ବ୍ଲକର ୨୪ ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବ୍ଲକର ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଲାଗି ଏକମାତ୍ର ଆଧାର କେନ୍ଦ୍ର ବ୍ଲକ ପରିସରରେ ରହିଛି। ଯଥେଷ୍ଟ ମାନବ ସମ୍ବଳ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ନ ଥିବା ଏକ ବେସରକାରୀ ସଂସ୍ଥାକୁ ଏହି ଗୁରୁଦାୟିତ୍ୱ ଦେଇ ପ୍ରଶାସନ ଚୁପ୍‌ ବସିଥିବା ସାଧାରଣରେ ଅଭିଯୋଗ ହେଉଛି।
ସଂକ୍ରମଣ କାଳରେ ସକାଳ ୭ଟାରୁ ଆରମ୍ଭ ହୋଇଯାଉଛି ଲମ୍ବା ଲାଇନ। ଅଧିକାଂଶଙ୍କଠାରେ ମାସ୍କ ନାହିଁ କି ସାମାଜିକ ଦୂରତା ବି ଦେଖିବାକୁ ମିଳୁନି। ଭିଡ଼ ମଧ୍ୟରେ ଅନେକ ମହିଳା ସେମାନଙ୍କ ହାତରେ କଅଁଳା ଛୁଆ ଧରି ଠିଆ ହୋଇଥିବା ଦେଖାଯାଉଛି। ଜିଲାରେ ଏବେ ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଲାଗି ରହିଥିଲେ ହେଁ ଦୈନିକ ପ୍ରାୟ ଦୁଇଶହ ଲୋକ ଆଧାର କାର୍ଡ ପାଇଁ ଆସୁଛନ୍ତି। ସାରେ କିଛି ନିରାଶ ହୋଇ ଫେରି ଯାଉଛନ୍ତି। କେବେ କେବେ ରାତି ପର୍ଯ୍ୟନ୍ତ କାମ ଚାଲୁଥିବା ଦେଖିବାକୁ ମିଳୁଛି। ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ବ୍ଲକର ଠିକ୍‌ କେନ୍ଦ୍ରସ୍ଥଳରେ ଏବଂ ବେତନଟୀ ବ୍ଲକଠାରୁ ୧୨ କି.ମି. ଦୂର ବୈଶିଙ୍ଗାଠାରେ ଅନ୍ୟ ଏକ ଆଧାର କେନ୍ଦ୍ର ସ୍ଥାପନ କରାଗଲେ ସୁଦୂର ଅଁଳା, ସଇତପୁର, ଚାଞ୍ଛିପଦା, ରଘୁପୁର, ଆମ୍ବଗଡ଼ିଆ, ପୁରୁଣିଆ, ମଇଁଶାସୋଳ, ଟିକାୟତପୁର, ପଣସିଆ, ଗଡଦେଉଳିଆ ଆଦି ପଞ୍ଚାୟତର ଲକ୍ଷାଧିକ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।
ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ସଚେତନ ଅଛନ୍ତି ଏବଂ ଖୁବ୍‌ଶୀଘ୍ର ଜିଲାପାଳଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share