ସୁଗାର-ଫ୍ରି ମିଠାରେ ରହୁଛି ସୁଗାର

କଟକ ଅଫିସ,୧ା୧୧:ସୁଗାର ଫ୍ରି ମିଠାରେ ମଧ୍ୟ ସୁଗାରର କିଛି ଅଂଶ ରହୁଛି। ବଜାରରେ ବିଭିନ୍ନ ମିଠା ଦୋକାନରେ ବିକ୍ରି ହେଉଥିବା ସୁଗାର ଫ୍ରି ରସଗୋଲା, ଛେନାପୋଡ଼ ପ୍ରଭୃତି ମିଠା ସାମଗ୍ରୀରେ ସୁଗାରର କିଛି ମାତ୍ରା ରହୁଥିବା ଅଭିଯୋଗ ହୋଇଛି। ସୁଗାର ଫ୍ରି କହି ଦ୍ୱିଗୁଣିତ ଦରରେ ଲୋକଙ୍କୁ ମିଠା ବିକ୍ରି କରାଯାଉଛି। କିନ୍ତୁ ପ୍ରକୃତରେ ସେଗୁଡ଼ିକ ସୁଗାରଫ୍ରି କି ନାହିଁ ତାହାର ମାନ ଯାଞ୍ଚ କରିଛି କଟକ ମହାନଗର ନିଗମ(ସିଏମ୍‌ସି) ସ୍ବାସ୍ଥ୍ୟ ବିଭାଗ। ସୋମବାର ସହରରେ ୩ଟି ଜୋନରେ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତିନୋଟି ଦଳ ସିଡିଏ, ଚୌଧୁରୀ ବଜାର ଓ କଲେଜଛକ ଅଞ୍ଚଳରୁ ଏହି ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନାକୁ ଭୁବନେଶ୍ୱରସ୍ଥିତ ଲାବୋରେଟୋରିକୁ ପଠାଯାଇଛି। ଏଠାରୁ ପରୀକ୍ଷା ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷେ ଫୁଡ୍‌ କମିଶନର ସୁଗାର ଫ୍ରି ଉପରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଆଣିବେ ବୋଲି ସୂଚନା ମଳିଛି। ସୁଗାର ଫ୍ରି ସାଧାରଣ ମିଠାଠାରୁ ଭିନ୍ନ ରହୁଛି। ସୁଗାର ଫ୍ରିରେ ଉକ୍ତ ମିଠାକୁ ପ୍ରସ୍ତୁତ କରାଯାଏ ତେବେ ତାହାର ଦର ବହୁ ଅଧିକ ରହିବା ସହ ସ୍ବାଦରେ ପିତା ଲାଗିବ। ହେଲେ ବର୍ତ୍ତମାନ ବଜାରରେ ଯାହା ସୁଗାର ଫ୍ରି ମିଠା ବିକ୍ରି ହେଉଛି ତାହା ପ୍ରକୃତ ଦରଠାରୁ ଦ୍ୱିଗୁଣିତ କରି ବିକ୍ରି କରାଯାଉଛି, ଏଥିସହ ସ୍ବାଦ ବି ମିଠା ପରି ଲାଗୁଛି। ଫଳରେ ବଜାରରେ ବିକ୍ରି ହେଉଥିବା ମିଠା ସମ୍ପୂର୍ଣ୍ଣ ସୁଗାର ଫ୍ରି ନୁହଁ। ତେବେ ପ୍ରକୃତରେ ସେଥିରେ ସୁଗାରର ମାତ୍ରା କେତେ ରହିଛି, ତାହା ଟିପୋର୍ଟ ଆଶିବା ପରେ ଜାଣି ହେବ ବୋଲି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Share