ପେଟ୍ରୋଲଠାରୁ ଚିନି ହେଲାଣି ମହଙ୍ଗା, ଜାଣନ୍ତୁ କେଉଁଠି

ଇସଲାମାବାଦ,୬ା୧୧: ଋଣକୁ ନେଇ ଏହାର ଆବଶ୍ୟକତା ପୂରଣ କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସତେ ଯେପରି ଖାଦ୍ୟ ସାମଗ୍ରୀରେ ନିଆଁ ଲାଗିଛି। ଏଠାରେ ଚିନିର ମୂଲ୍ୟ ଆକାଶଛୁଆଁ ହୋଇଛି। ଏପରିକି ଏହା ପେଟ୍ରୋଲ ଅପେକ୍ଷା ମହଙ୍ଗା ହୋଇଛି । ଦେଶରେ ଚିନି କିଲୋଗ୍ରାମକୁ ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪୬ ଟଙ୍କା ରହିଛି। ଗୁରୁବାର ଇମ୍ରାନ ଖାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮.୧୪ ଟଙ୍କା ବଢ଼ାଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଫ୍ରଣ୍ଟ୍‌ ଖୋଲିଛନ୍ତି। ବିରୋଧୀ ଦଳର ନେତାମାନେ କହିଛନ୍ତି ଯେ, ସରକାର ଆଉ ଏକ ପେଟ୍ରୋଲ ବୋମା ବିସ୍ଫୋରଣ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାରଙ୍କ ନିଶ୍ଚିତତା ସତ୍ତ୍ୱେ ବିଭିନ୍ନ ସହରରେ ଚିନି ୧୫୦ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪୫.୮୨ଟଙ୍କାକୁ ବୃଦ୍ଧି ପାଇଛି। ପେଶଓ୍ବାରର ହୋଲସେଲ ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ୮ଟଙ୍କା ବୃଦ୍ଧି ପାଇଛି। ଚିନି ଭେଣ୍ଡର ଆସୋସିଏଶନର ସଭାପତି କହିଛନ୍ତି, ଚିନି ବହୁ ପରିମାଣରେ ୧୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଖୁଚୁରା ବଜାରରେ ଏହାର ମୂଲ୍ୟ କିଲୋଗ୍ରାମ ୧୪୫ରୁ ୧୫୦ ଟଙ୍କାରେ ପହଞ୍ଚିଛି।

ସୂଚନାଯୋଗ୍ୟ,  ମଇଦା, ତେଲ, ଡାଲି ସମେତ ପ୍ରାୟ ସମସ୍ତ ଖାଦ୍ୟ ଏବଂ ପାନୀୟ ବି ଦେଶରେ ମହଙ୍ଗା ହୋଇଛି।

Share