Categories: ବାଣିଜ୍ୟ

୮% କମିଲା ଚିନି ଉତ୍ପାଦନ

ଭୁବନେଶ୍ୱର,୩।୧(ଅନୁରାଧା ମହାରଣା): ୨୦୨୩-୨୪ ସିଜନରେ ପ୍ରଥମ ୩ମାସରେ ଦେଶରେ ଚିନି ଉତ୍ପାଦନ ପ୍ରାୟ ୮% (୭.୭%) ହ୍ରାସ ପାଇ ୧୧୩ ଲକ୍ଷ ଟନକୁ ଖସି ଆସିଛି। ଆଖୁ ଉତ୍ପାଦନରେ ହ୍ରାସ ହେତୁ ମହାରାଷ୍ଟ୍ର ଏବଂ କର୍ନାଟକରେ ଚିନି ଉତ୍ପାଦନରେ ହ୍ରାସ ଘଟିଛି। ତଥ୍ୟ ପ୍ରକାଶ କରି ନ୍ୟାଶନାଲ ଫେଡେରେଶନ ଅଫ୍‌ କୋଅପରେଟିଭ ଚିନି କାରଖାନା (ଏନ୍‌ଏଫସିଏସ୍‌ଏଫ୍‌) କହିଛି, ଚଳିତ ସିଜନରେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ୫୧୧ କାରଖାନା ଏପର୍ଯ୍ୟନ୍ତ ୧୨୨୩ ଲକ୍ଷ ଟନ ଆଖୁକୁ ପେଡ଼ିଛି। ଦେଶର ତିନୋଟି ପ୍ରମୁଖ ଚିନି ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ଏବଂ କର୍ନାଟକରେ ଉତ୍ପାଦନରେ ହ୍ରାସ ଘଟିଛି। ଆଖୁରସରୁ ଇଥାନଲ ଉତ୍ପାଦନକୁ ସରକାର ସୀମିତ ରଖିଛନ୍ତି। ୨୦୨୩-୨୪ରେ ଦେଶ ଘରୋଇ ବ୍ୟବହାର ପାଇଁ ୩୦୫ ଲକ୍ଷ ଟନ ଚିନି ଉତ୍ପାଦନ କରିବ ବୋଲି ଆଶା କରାଯାଉଛି। ୨୦୨୨-୨୩ରେ ଉପତ୍ାଦନ ପରିମାଣ ୩୩୦.୯୦ ଲକ୍ଷ ଟନ ଥିଲା। ତଥ୍ୟ ଅନୁଯାୟୀ, ଚିନି ଉତ୍ପାଦନ କ୍ଷେତ୍ରରେ ସର୍ବବୃହତ୍‌ ରାଜ୍ୟ ମହାରାଷ୍ଟ୍ର ଡିସେମ୍ବର ପର୍ଯ୍ୟନ୍ତ ୩୮.୪୦ ଲକ୍ଷ ଟନ ଚିନି ଉତ୍ପାଦନ କରିଥିବାବେଳେ ବର୍ଷ ୨୦୨୨-୨୩, ୪୭.୪୦ ଲକ୍ଷ ଟନ ଉତ୍ପାଦିତ ହୋଇଛି। ସେହିପରି କର୍ନାଟକରେ ୨୪ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିବାବେଳେ ଗତ ବର୍ଷ ୨୬.୭୦ ଲକ୍ଷ ଟନ ଉତ୍ପାଦନ କରାଯାଇଥିଲା। ଉତ୍ତରପ୍ରଦେଶରେ, ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ୩୪.୬୫ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଛି, ଯାହାକି ୧ ବର୍ଷ ପୂର୍ବରୁ ୩୦.୮୦ ଲକ୍ଷ ଟନ ଥିଲା। ଥଣ୍ଡା ବଢ଼ିଲେ ଚିନି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବର୍ଷ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୧୧୫ ଲକ୍ଷ ଟନ ଚିନି ଉତ୍ପାଦନ ହୋଇପାରେ। ମହାରାଷ୍ଟ୍ରରେ ୯୦ ଲକ୍ଷ ଟନ ଚିନି ଏବଂ କର୍ନାଟକରେ ୪୨ ଲକ୍ଷ ଟନ ଚିନି ଉତ୍ପାଦନ କରାଯାଇପାରିବ। ତାମିଲନାଡୁରେ ଉତ୍ପାଦନ ୧୨ ଲକ୍ଷ ଟନ ଏବଂ ଗୁଜରାଟରେ ୧୦ ଲକ୍ଷ ଟନ ହେବ ବୋଲି ଆକଳନ କରାଯାଇଛି। ଆଗାମୀ ଦିନରେ ଇଥାନଲ ଉତ୍ପାଦନ ଉପରେ ପ୍ରତିବନ୍ଧକ କୋହଳ କରାଯାଇପାରିବ ବୋଲି ଏନ୍‌ଏଫ୍‌ସିଏସ୍‌ଏଫ୍‌ ଏମ୍‌ଡି ପ୍ରକାଶ ନାୟକାନୱାରେ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଚିନି ଉତ୍ପାଦନ ୨୯୦ ଲକ୍ଷ ଟନ ଥିଲା, ଯାହା ଆହୁରି ୧୫ ଲକ୍ଷ ଟନ ବୃଦ୍ଧି ପାଇପାରେ। ସେ କହିଛନ୍ତି, ଏନ୍‌ଏଫ୍‌ସିଏସଏଫ୍‌ ଏବଂ ଇଣ୍ଡିଆନ ସୁଗାର ମିଲ୍ସ ଆସୋସିଏସନ କେନ୍ଦ୍ର ସରକାରଙ୍କ ଏନେଇ ଦୃଷ୍ଟି ଆକର୍ଷଣ କରିବ।

Share