ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦ ହେକ୍ଟରରେ ଚାଷ ହୋଇଛି। ଆଖୁ ପାଇଁ ପାଣିର ଅଭାବ ହିଁ ଏହାର କାରଣ ବୋଲି କୁହାଯାଇଛି।

ଜିଲାର ୨୨ ବ୍ଲକରୁ ୧୭ ବ୍ଲକରେ ଆଖୁଚାଷ କରାଯାଉଛି। ଏହା ବର୍ଷିକିଆ ଫସଲ ହୋଇଥିବାବେଳେ ଡିସେମ୍ବରଠାରୁ ମାର୍ଚ୍ଚ ମାସ ଭିତରେ ବିହନ ଲଗାଯାଇଥାଏ। ବିଶେଷ କରି ରାୟପୁର ଓ ଆନକାପଲ୍ଲୀ ଅଞ୍ଚଳରୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ। ଜାନୁଆରୀଠାରୁ ଫେବୃଆରୀ ମଧ୍ୟରେ ଆଖୁ ଆଦାୟ ହୋଇଥାଏ। ତେବେ କୃଷି ବିଭାଗ ପକ୍ଷରୁ ଏହି ଚାଷ ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ସଅଳ ବିହନ ବୁଣା ପାଇଁ ଚାଷୀଙ୍କୁ ହେକ୍ଟର ପିଛା ୫ହଜାର, ଆଖୁ ବିହନର ଉତ୍ସ ବାବଦରେ ହେକ୍ଟର ପିଛା ୨୫ହଜାର, ମୂଳି ଆଖୁ ପରିଚାଳନା ପାଇଁ ହେକ୍ଟର ପିଛା ୧୨ହଜାର ୫୦୦ ଟଙ୍କା ଓ ବ୍ୟବଧାନ ରୋପଣ ପଦ୍ଧତି ପାଇଁ ହେକ୍ଟର ପିଛା ୨୨ହଜାର ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଜିଲାରେ ଛତ୍ରପୁର, ଚିକିଟି, ଗଞ୍ଜାମ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା ଆଦି ୫ ବ୍ଲକରେ ଆଦୌ ଆଖୁ ଚାଷ କରାଯାଉନାହିଁ। ଚଳିତବର୍ଷ ଆସିକା ଓ ବେଗୁନିଆପଡ଼ା ଓ ଶେରଗଡ଼ ବ୍ଲକରେ ଅଧିକ ଆଖୁ ଚାଷ ହୋଇଛି। ବ୍ୟବଧାନ ରୋପଣ ପଦ୍ଧତିରେ ୨୨୦ ହେକ୍ଟର ଆଖୁ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୧୬୮ ହେକ୍ଟରରେ ଚାଷ କରାଯାଇଛି। ସେହିପରି ମୂଳି ଆଖୁ ପରିଚାଳନା ପାଇଁ ୪୯୮ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୪୨୯ ହେକ୍ଟରରେ ଚାଷ କରାଯାଇଛି। କେବଳ ଆଖୁ ବିହନର ଉତ୍ସ ପଦ୍ଧତିରେ ୮୩ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ତାହା ହିଁ ପୂରଣ ହୋଇଛି। ତେବେ ଆଖୁ ପାଇଁ ପର୍ଯ୍ୟାପ୍ତ ପାଣି ଦରକାର ହେଉଥିବାବେଳେ ଚଳିତବର୍ଷ ପାଣିର ଉତ୍କଟ ଅଭାବ ଦେଖାଦେଇଛି। ଜଳ ଉତ୍ସଗୁଡିକ ଗ୍ରୀଷ୍ମ ପ୍ରବାହରେ ଶୁଖିଯାଇଛି। କେନାଲରେ ପାଣି ଆସୁନାହିଁ। ଜଳସେଚନ ବିଭାଗ ପକ୍ଷରୁ ସେଭଳି ସୁବିଧା କରାଯାଇନଥିବାରୁ ଚଳିତବର୍ଷ ଆଖୁ ଚାଷ କମିଯାଇଛି। ଅନ୍ୟପକ୍ଷରେ ଆସିକା ଚିନିକଳ ପକ୍ଷରୁ ଆଖୁ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଆଖୁ ଦେବା ପାଇଁ ଚାଷୀମାନେ ଉକ୍ତ କମ୍ପାନୀରେ ପଞ୍ଜିକରଣ କଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଚାଷ ନିମନ୍ତେ ଆର୍ଥିକ ସହାୟତା ବି ପ୍ରଦାନର ବ୍ୟବସ୍ଥା ରହିଛି। କମ୍ପାନୀ ଅଧିକ ଦିନ ଚାଲିବା ପାଇଁ ପର୍ଯ୍ୟାୟକ୍ରମେ କିଭଳି ଆଖୁ ମିଳିବ ସେଥିନେଇ ଚାଷୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଚାଷ କରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। କିନ୍ତୁ ଚଳିତବର୍ଷ ଜଳାଭାବ ହିଁ ଆଖୁ ଫସଲକୁ ଧ୍ୱଂସ କରିଦେଇଛି। ଏ ସମ୍ପର୍କରେ ଜିଲା କୃଷି ବିଭାଗର ଉପ ପ୍ରକଳ୍ପ ନିର୍ଦ୍ଦେଶକ (ଆତ୍ମା) ଅଜିତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ଚଳିତବର୍ଷ ଜଳାଭାବରୁ ଆଖୁଚାଷ ନିରାଶାଜନକ ହୋଇଛି। ପୂର୍ବରୁ ୨୨୦୦ ହେକ୍ଟରରେ ଚାଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ବର୍ଷାଭାବରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ଏହାକୁ କମାଇ ଦିଆଯାଇଥିଲା। ତଥାପି ତାହା ବି ପୂରଣ ହୋଇପାରିନାହିଁ।

Share