Categories: ଖେଳ

‘ସ୍ପିନରଙ୍କୁ ସୁହାଇବ ହାଇଦ୍ରାବାଦ ଉଇକେଟ’

ହାଇଦ୍ରାବାଦ,୨୪ା୧(ପି.ଟି.): ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୨୫ ତାରିଖରେ ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଏହି ମ୍ୟାଚ୍‌ଟି ଖେଳାଯିବାକୁ ଥିବାବେଳେ ଏକ ସ୍ପୋର୍ଟିଂ ଉଇକେଟ ଆଶା କରିଛନ୍ତି ଭାରତୀୟ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ପିଚ୍‌ ସମ୍ପର୍କରେ ପୂର୍ବାନୁମାନ କରିବା କଷ୍ଟ, ମାତ୍ର ଏହା ଏକ ସ୍ପୋର୍ଟିଂ ଉଇକେଟ ଭଳି ଜଣାପଡୁଛି। ତେବେ ମ୍ୟାଚ୍‌ର ପରବର୍ତ୍ତୀ ସମୟରେ ସ୍ପିନରଙ୍କୁ ସହାୟତା ମିଳିବା ନେଇ ସେ ଆଶା କରିଛନ୍ତି। ଗୁରୁବାର ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ମଙ୍ଗଳବାର ପ୍ରେସ୍‌ କନ୍‌ଫରେନ୍ସରେ ଡ୍ରାଭିଡ୍‌ ଏହି ମନ୍ତବ୍ୟ ଦେଇଛନ୍ତି। ପିଚ୍‌ରେ ବଲ୍‌ ସ୍ପିନ୍‌ ହେବା ନିଶ୍ଚିତ, ତେବେ କେତେ ଶୀଘ୍ର ବା ବିଳମ୍ବରେ ବଲ୍‌ ସ୍ପିନ୍‌ କରିବା ଆରମ୍ଭ କରିବ ତାହାକୁ ନେଇ ନିଶ୍ଚିତ ନ ଥିବା କହିଛନ୍ତି ଡ୍ରାଭିଡ୍‌। ଅନ୍ୟପକ୍ଷରେ ଇଂଲଣ୍ଡ ପେସ୍‌ ବୋଲର ମାର୍କ ଉଡ୍‌ କହିଥିଲେ, ଦଳ ପିଚ୍‌କୁ ନେଇ ଆଦୌ ଚିନ୍ତା କରୁନାହିଁ। ଆମେ ମ୍ୟାଚ୍‌ ପାଇଁ ଯୋଜନା ପ୍ରସ୍ତୁତ କରୁଛୁ, ପିଚ୍‌ ପାଇଁ ନୁହେଁ। ଏପରିକି ପିଚ୍‌କୁ ନେଇ ଆମ ମନରେ କୌଣସି ଆଶଙ୍କା ନାହିଁ ବୋଲି ସେ କହିଛନ୍ତି। ତେବେ ପିଚ୍‌କୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହା ଏତେ ଲମ୍ବା ନ ଥିଲା। ଆମ ବ୍ୟାଟିଂ ଲାଇନ୍‌ଅପ୍‌ ଅତ୍ୟନ୍ତ ଚମତ୍କାର ରହିଛି ଓ ସମାନ ଭାବରେ ଏକ ଶକ୍ତିଶାଳୀ ବୋଲିଂ ଲାଇନଅପ୍‌ ମଧ୍ୟ ରହିଛି। ତେବେ ଭାରତୀୟ ଉପ ମହାଦେଶର ପିଚ୍‌ଗୁଡିକ ସ୍ପିନ୍‌କୁ ସହାୟତା ପ୍ରଦାନ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଆମ ଖେଳାଳିଙ୍କୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ବୋଲି ଉଡ୍‌ କହିଛନ୍ତି। ଭାରତୀୟ ପରିବେଶ ସହିତ ଆମକୁ ଆଡଜଷ୍ଟ କରିବାକୁ ପଡିବ। ପିଚ୍‌ରେ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ସହାୟତା ରହିବ। ତେବେ ମ୍ୟାଚ୍‌ ଆଗକୁ ବଢିବା ସହ ସ୍ପିନରଙ୍କୁ ସହାୟତା ମିଳିବ ବୋଲି କହିଛନ୍ତି ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ଜଣେ ଅଧିକାରୀ।
ଅଭ୍ୟାସ କଲେନି ବୁମ୍‌ରା
ମଙ୍ଗଳବାର ଭାରତୀୟ ଦଳର ସମସ୍ତ ଖେଳାଳି କଡା ଅଭ୍ୟାସ କରିଥିଲେ। ଏହା ଇଚ୍ଛାଧୀନ ଟ୍ରେନିଂ ସେସନ ରହିଥିବା ବେଳେ ଏକମାତ୍ର ଖେଳାଳି ଭାବରେ ଯଶପ୍ରୀତ ବୁମ୍‌ରା ଏଥିରେ ଭାଗ ନେଇ ନ ଥିଲେ। ତେବେ ବୁମ୍‌ରା ଆହତ ଅଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ଅପଡେଟ୍‌ ମିଳିନାହିଁ।

Share