ଆତ୍ମଘାତୀ ମହିଳା ସ୍ନାତକୋତ୍ତର

କରାଚୀ, ୨୮ା୪: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭ୍ୟାନ୍‌ରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ କରିଥିବା ମହିଳା ଜଣେ ଉଚ୍ଚଶିକ୍ଷିତା ଏବଂ ୨ ପିଲାଙ୍କ ମା’ ବୋଲି ଜଣାପଡ଼ିଛି। ଆଫଗାନ୍‌ ଜର୍ନାଲିଷ୍ଟ ବଶିର୍‌ ଅହମ୍ମଦ ଗ୍ବାଖଙ୍କ ଅନୁସାରେ, ୩୦ ବର୍ଷୀୟା ଉକ୍ତ ମହିଳାଙ୍କ ନାମ ଶାରୀ ବାଲୁଚ୍‌ ଏବଂ ସେ ବେଲୁଚିସ୍ତାନ ୟୁନିଭର୍ସିଟିରେ ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ବେଲୁଚିସ୍ତାନର ଆଲାମ ଇକ୍‌ବାଲ ଓପନ ୟୁନିଭର୍ସିଟିରେ ସେ ଏମ୍‌ଫିଲ୍‌ ମଧ୍ୟ କରିଛନ୍ତି। ସେ କେଚ୍‌ ଜିଲାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ତାଙ୍କର ୨ ପିଲା ଥିବାବେଳେ ସ୍ବାମୀ ଜଣେ ଦନ୍ତ ବିଭାଗ ଡାକ୍ତର। ତାଙ୍କ ବାପା ସରକାରୀ ଏଜେନ୍ସିରେ ଜଣେ ନିର୍ଦ୍ଦେଶକ ଥିଲେ। ୨ ବର୍ଷ ତଳେ ସେ ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍‌ଏ)ରେ ମିଶିଥିଲେ। ତେବେ କେଉଁ କାରଣରୁ ସେ ଆତ୍ମଘାତୀ ମିଶନରେ ବାହାରିଥିଲେ ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ବିସ୍ଫୋରଣ ଯୋଗୁ ୩ ଚାଇନା ନାଗରିକଙ୍କ ସମେତ ୪ ଜଣ ପ୍ରାଣ ହରାଇଥିଲେ। ଏଥିପାଇଁ ପାକିସ୍ତାନୀ ବିଚ୍ଛିନ୍ନତାବାଦୀ ବିଏଲ୍‌ଏ ନିଜକୁ ଦାୟୀ କରିଥିଲା।

Share