Categories: ଜାତୀୟ

ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର: ଆଲର୍ଟରେ ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ,୬।୪: ଦେଶରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଏନେଇ ଏକ ମେଲ୍‌ ସିଆର୍‌ପିଏଫ୍‌ର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଆସିଛି। ଏହାକୁ ଥ୍ରେଟ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ ଦ୍ୱାରା ଯାଞ୍ଚ୍‌ କରାଯାଇ ଏନ୍‌ଆଇଏ ସମେତ ଅନ୍ୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ବିମାନବନ୍ଦର, ସାର୍ବଜନୀକସ୍ଥଳ, ମନ୍ଦିର ଆଦିରେ ଏକାଧିକ ଆତ୍ମଘାତୀ ବିସ୍ଫୋରଣ ପାଇଁ ମେଲ୍‌ରେ ଧମକ ଦିଆଯାଇଛି। ଏହାକୁ ନେଇ ଗୋଇନ୍ଦା ବିଭାଗ ଆଲର୍ଟରେ ରହିଛି। ଏହାର ତଦନ୍ତ ଜାରି ରହିଛି। ଭାରତରେ ଲୁଚିଥିବା ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି। ଦେଶର ୩ ରାଜ୍ୟରେ ୨୦୦ କିଲୋଗ୍ରାମ୍‌ ହାଇଗ୍ରେଡ୍‌ ଆରଡିଏକ୍ସ୍‌ ଲୁଚାଇ ରଖାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ୧୧ରୁ ଅଧିକ ଆତଙ୍କବାଦୀ ଏବଂ ଆତ୍ମଘାତୀ ଆକ୍ରମଣକାରୀ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରିବା ସହିତ ସକ୍ରିୟ ରହିଥିବା ମେଲ୍‌ରେ ଦର୍ଶାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ମେଲ୍‌ରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଏନ୍‌ଆଇଏ କଣ୍ଟ୍ରୋଲ ରୁମ୍‌କୁ ଏଭଳି ଏକ ଧମକ ଭରା ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ସେ କରାଚିରୁ କହୁଛନ୍ତି ବୋଲି କହିଥିଲେ। ଏହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

Share