ଏସ୍‌ପି ଅଫିସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଛତ୍ରପୁର,୧୪ା୫(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ଅଫିସ ଆଗରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବୋରିଗାଁର ବାଦଲ ସାହୁ।
ମିଳିଥିବା ସୂଚନାନୁସାରେ ବାଦଲ ଏସ୍‌ପିଙ୍କୁ ଭେଟିବା ପାଇଁ ଯାଇଥିଲେ। ଏସ୍‌ପିଙ୍କ ଅନୁପସ୍ଥିତିରେ ଅଫିସ୍‌ ଆଗରେ ବାଦଲ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କ ଦେହ ସମ୍ପୂର୍ଣ୍ଣ ଜଳିଯାଇଛି। ପରେ ଆମ୍ବୁଲାନ୍ସ ଯୋଗେ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଛତ୍ରପୁର ହସ୍ପିଟାଲରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ପହଞ୍ଚି ଅନୁଧ୍ୟାନ କରିଥିଲେ। ତେବେ ସଙ୍ଗେ ସଙ୍ଗେ ଗୁରୁତର ବାଦଲଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୌଣସି କାରଣ ନେଇ ନ୍ୟାୟ ପାଇଁ ଏସ୍‌ପି ଅଫିସ ଯାଇଥିଲେ। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share