ଡିଜିପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

କଟକ ଅଫିସ,୧୦ା୨: ଅଭିଯୁକ୍ତମାନେ ଘର ପୋଡ଼ିଲେ, ହତ୍ୟା ଉଦ୍ୟମ କଲେ। ଏଭଳି ଭାବେ ଅଭିଯୋଗ ହେବା ପରେ ପୋଲିସ ୧୦ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନି। ଶେଷରେ ପୋଲିସର ନିଷ୍କ୍ରିୟତା ବିରୋଧରେ ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ବୁଧବାର କଟକସ୍ଥିତ ଡିଜିପି ଅଫିସ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଘରେ ଛାଡିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହଁା ଗ୍ରାମର ନୃସିଂହ ଦାସ ଓ ତାଙ୍କ ଗ୍ରାମର ନଳିନୀକାନ୍ତ ଦାସଙ୍କ ମଧ୍ୟରେ ଜମି ଦଖଲକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। ୨୦୨୧ ନଭେମ୍ବର ୧ରେ ନଳିନୀ ଓ ତାଙ୍କ ଭାଇ ସଞ୍ଜୟ ଦାସ, ବିଜୟ ଦାସ ମିଶି ନୃସିଂହଙ୍କ ଘରେ ନିଅଁା ଲଗାଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା। ସେହିପରି ଉକ୍ତ ପରିବାର ଲୋକଙ୍କ ନଁାରେ ବିଭିନ୍ନ ସମୟରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ସେମାନେ ଖୋଲାଖୋଲି ଭାବେ ବାହାରେ ବୁଲୁଛନ୍ତି। ନ୍ୟାୟ ପାଇଁ ନୃସିଂହ ମାର୍ଶାଘାଇ ପୋଲିସ, କେନ୍ଦ୍ରାପଡ଼ା ଏସ୍‌ପି ଓ ଡିଜିପିଙ୍କୁ ନିବେଦନ କରିଥିଲେ। କିନ୍ତୁ ନ୍ୟାୟ ନ ମିଳିବାରୁ ସେ ଧାରଣା ଦେବା ସହ ଆତ୍ମାହୁତି ଉଦ୍ୟମ କରିଥିଲେ। ପୋଲିସ ସେଠାରେ ପହଞ୍ଚି ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

Share