ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅଭିଯୋଗ ସତ୍ତ୍ୱେ ଥାନାରୁ ନ୍ୟାୟ ନ ପାଇବାରୁ ସୋମବାର ଜଣେ ଯୁବକ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ବିଶ୍ୱେଶ୍ୱରୀ ବସ୍ତିର ପ୍ରମୋଦ କୁମାର ନାୟକ (୩୭)। ତାଙ୍କ ନାମରେ ପୋଲିସ ମାମଲା (ନଂ.୧୮୨/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂଚନାନୁଯାୟୀ, ପ୍ରମୋଦଙ୍କୁ ତାଙ୍କ ସ୍ତ୍ରୀ ଓ ଶାଳକମାନେ ନିର୍ଯାତନା ଦେଇ ଆସୁଛନ୍ତି। ଏ ନେଇ ସେ ଶହୀଦନଗର ଥାନାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପୋଲିସ କିଛି ଶୁଣୁ ନ ଥିବାରୁ ସେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରମୋଦ କହିଛନ୍ତି। ତେବେ ସୋମବାର ସେ ଏକ ଜରିରେ କିରୋସିନ ଭର୍ତ୍ତି କରି ଦିନ ପ୍ରାୟ ୧୨ଟା ୧୦ରେ ନବୀନ ନିବାସ ଆଗରେ ପହଞ୍ଚତ୍ଲେ। ଦେହରେ କିରୋସିନ ଢାଳିବା ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିଥିଲେ।

Share