ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର ନିକଟରେ ହୋଇଥିବା ଏହି ବିସ୍ଫୋରଣରେ ଦୁଇ ରାଷ୍ଟ୍ରଦୂତଙ୍କର ମଧ୍ୟ ଜୀବନ ଯାଇଥିବା କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ହତ୍ୟା କରିଛନ୍ତି। ଦୂତାବାସ ଫାଟକରେ ପହଞ୍ଚିବା ପୂର୍ବରୁ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ରୁଷିଆ ଦୂତାବାସ ବାହାରେ ଠିଆ ହୋଇଥିବା ତାଲିବାନ ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଥିଲେ। ତା’ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ବିସ୍ଫୋରଣରେ ମୋଟ୍‌ ୨୦ ଜଣଙ୍କର ପ୍ରାଣହାନି ଘଟିଛି।

ଏହି ବିସ୍ଫୋରଣରେ ଆଫଗାନିସ୍ତାନର ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ, ଦୂତାବାସ ଆଫଗାନିସ୍ତାନ ସୁରକ୍ଷା ସେବା ସହ ଯୋଗାଯୋଗରେ ଅଛି। ବିସ୍ଫୋରଣର ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ରୁଷିଆ ହେଉଛି କିଛି ଦେଶ ମଧ୍ୟରୁ ଗୋଟିଏ, ଯାହାର କାବୁଲରେ ଦୂତାବାସ ଅଛି। ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଅଧିକାଂଶ ଦେଶ ଆଫଗାନିସ୍ତାନରେ ନିଜର ଦୂତାବାସ ବନ୍ଦ କରି ଦେଇଛନ୍ତି। ତାଲିବାନକୁ ରୁଷିଆ ଆନୁଷ୍ଠାନିକ ଭାବେ ସ୍ବୀକୃତି ଦେଇ ନାହିଁ। ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି।

Share