ତାଲିବାନ୍‌ର ଆତ୍ମଘାତୀ ବୋମାଧାରୀ ବାଟାଲିୟନ

କାବୁଲ, ୩।୧୦: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତାଜିକ୍‌ସ୍ତାନ ଓ ଚାଇନା ସୀମାକୁ ଲାଗିଥିବା ଏହାର ବଡ଼ଖାଶାନ ପ୍ରଦେଶର ଉତ୍ତରପୂର୍ବାଞ୍ଚଳରେ ଆତ୍ମଘାତୀ ବୋମାଧାରୀମାନଙ୍କୁ ମୁତୟନ କରିବ। ଏଥିପାଇଁ ତାଲିବାନ ‘ଲଶ୍କର-ଇ-ମନ୍‌ସୁରି’ ନାମରେ ଏକ ସ୍ବତନ୍ତ୍ର ସୁଇସାଇଡ୍‌ ବମ୍ବର ବାଟାଲିୟନ ଗଠନ କରିଛି। ଉକ୍ତ ପଦେଶର ଡେପୁଟି ଗଭର୍ନର ମୁଲ୍ଲା ନିସାର ଅହମଦ ଅହମଦି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୂର୍ବ ଆଫଗାନ ସରକାରଙ୍କ ସୁରକ୍ଷା ବଳକୁ ଟାର୍ଗେଟ କରି ଏଭଳି ଆତ୍ମଘାତୀ ଆକ୍ରମଣ କରାଯାଉଥିଲା। ଏହି ବାଟାଲିୟନ ନ ଥିଲେ ଆମେରିକାକୁ ହରାଇବା ସମ୍ଭବ ହୋଇ ନ ଥାନ୍ତା ବୋଲି ଅହମଦି କହିଛନ୍ତି। ଦୁଃସାହସୀ ଲଢ଼ୁଆମାନେ ବିସ୍ଫୋରକ ଓ୍ବେଷ୍ଟକୋଟ୍‌ ପିନ୍ଧି ଆଫଗାନିସ୍ତାନରେ ଥିବା ଆମେରିକା ବେସ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେଉଥିଲେ। ଏହି ଲଢ଼ୁଆମାନେ ଆଲ୍ଲାଙ୍କ ପାଇଁ ସମର୍ପିତ ଏବଂ ସେମାନଙ୍କର କାହାକୁ ଭୟ ନାହିଁ। ଲଶ୍କର-ଇ-ମନସୁରି ବ୍ୟତୀତ ବଦ୍ରି ୩୧୩ ନାମରେ ଆଉ ଏକ ବାଟାଲିୟନ ଗଠନ କରାଯାଇଛି। କାବୁଲ ବିମାନବନ୍ଦରରେ ନିୟୋଜିତ ଏହି ବାଟାଲିୟନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସାମରିକ ଗ୍ରୁପ୍‌ ଯେଉଁଥିରେ ଆତ୍ମଘାତୀ ବମ୍ବର ରହିଛନ୍ତି।

Share