ପାଟଣା,୨୨।୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀ ଜଣକ ହେଲେ କୁନି ନାଏକ। ଖବର ପାଇ ଶୁକ୍ରବାର ସକାଳୁ ପାଟଣା ପୋଲିସ ପକ୍ଷରୁ ଏସ୍ଆଇ ରଣଜିତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ପୋଲିସ ସୂଚନାନୁଯାୟୀ, ଗୁରୁବାର ରାତିରେ ଚିକେନ ତରକାରୀ ହୋଇଥିଲା। କୁନିଙ୍କ ପାଇଁ ଥିବା ମାଂସ ଭାଗ ତାଙ୍କ ବଡ଼ ଭାଇ ଖାଇଦେବାରୁ କୁନି ରାଗି ଶୋଇବା ଘରକୁ ଚାଲି ଯାଇଥିଲେ। ଏହି ସାମାନ୍ୟ କଥାରେ ସେ ମାନସିକ ଭାରସାମ୍ୟ ହରାଇ ଭିତର ପଟୁ କବାଟ ବନ୍ଦ କରି ଘର ସଙ୍ଗାରେ ଫାଶୀ ଲଗାଇ ଦେଇଥିଲେ।