Categories: ଜାତୀୟ

ସେନାରେ ଆତ୍ମହତ୍ୟା, ୫ ବର୍ଷରେ ୮୧୯ ଘଟଣା…

ନୂଆଦିଲ୍ଲୀ, ୧୯।୭ : ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୧୯ ସଶସ୍ତ୍ର ବାହିନୀର କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିରେ ସର୍ବାଧିକ ୬୪୨ ଟି ମାମଲା ସେନାରେ ରିପୋର୍ଟ ହୋଇଛି। ଏହି ସୂଚନା ସରକାର ପ୍ରଦାନ କରିଛନ୍ତି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ଭାରତୀୟ ବାୟୁସେନା ଏହି ସମୟ ମଧ୍ୟରେ ୧୪୮ ଟି ମାମଲା ରୁଜୁ କରା ଯାଇଥିବାବେଳେ ଭାରତୀୟ ନୌସେନାରେ ଏହି ସଂଖ୍ୟା ୨୯ ରହିଛି। ଗତ ୫ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିବା ଯବାନଙ୍କ ସଂଖ୍ୟା ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ପ୍ରତିରକ୍ଷା ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ସେବାରେ ଚାପ ହ୍ରାସ କରିବା ପାଇଁ ସଶସ୍ତ୍ର ବାହିନୀ ନିରନ୍ତର ପଦକ୍ଷେପ ନେଉଛି। ଏହା ଅନ୍ତର୍ଗତ ଏକ ବ୍ୟାପକ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୦୯ ମସିହାରୁ ଏହା କାର୍ଯ୍ୟକାରୀ ହେଉଛି।

ଭଟ୍ଟ କହିଛନ୍ତି ଯେ ଉଦାସୀନତା ଏବଂ ଆତ୍ମହତ୍ୟା ପ୍ରବୃତ୍ତି ଭଳି ସମସ୍ୟାରେ ପୀଡିତ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ଟ୍ରାକ ଏବଂ ଚିହ୍ନଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ଅନ୍ତର୍ଗତ ଚାପର ଆଶଙ୍କା ଅଧିକ ଥିବା କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ ଚିହ୍ନଟ କରାଯାଇ ୟୁନିଟ କମାଣ୍ଡିଂ ଅଫିସର, ରେଜିମେଣ୍ଟାଲ ମେଡିକାଲ ଅଫିସର ଏବଂ ଜୁନିଅର ଲିଡର୍ସ ମାଧ୍ୟମରେ ପରାମର୍ଶ ପ୍ରଦାନ କରାଯାଇଥାଏ। ଛୁଟି ପରେ ୟୁନିଟକୁ ଫେରୁଥିବା ସମସ୍ତ କର୍ମଚାରୀଙ୍କୁ ରେଜିମେଣ୍ଟାଲ ମେଡିକାଲ ଅଧିକାରୀଙ୍କ ଦ୍ୱାରା ସାକ୍ଷାତକାର, ମେଡିକାଲ ଯାଞ୍ଚ୍‌ ଏବଂ ପରାମର୍ଶ ଦିଆଯାଇଥାଏ। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ସେନାବାହିନୀରେ ଚାପ ପ୍ରସଙ୍ଗ ଉପରେ ବିଭିନ୍ନ ସ୍ତରରେ କମାଣ୍ଡରମାନେ ବ୍ୟାପକ ଧ୍ୟାନ ଦେଉଛନ୍ତି।

Share