ସିଙ୍ଗାପୁରରେ ବଢ଼ୁଛି ଆତ୍ମହତ୍ୟା

ସିଙ୍ଗାପୁର, ୨।୭: ଗତ ୨୨ ବର୍ଷ ତୁଳନାରେ ବର୍ତ୍ତମାନ ସମୟରେ ସିଙ୍ଗାପୁରରେ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ ଅପେକ୍ଷା ୨୦୨୨ରେ ଆତ୍ମହତ୍ୟା ଘଟଣାରେ ୨୬% ବୃଦ୍ଧି ଘଟିଛି। ତେବେ ମାନସିକ ଦୁଶ୍ଚିନ୍ତା ଅତ୍ମହତ୍ୟାର ମୁଖ୍ୟ କାରଣ ପାଲଟିଥିବା ସ୍ଥାନୀୟ ଅଣସରକାରୀ ସଙ୍ଗଠନ ପକ୍ଷରୁ କୁହାଯାଇଛି। ସିଙ୍ଗାପୁରରେ ୧୦ରୁ ୨୯ ଏବଂ ୭୦ରୁ୭୦ ବୟସ ବର୍ଗଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଘଟଣା ଅଧିକ ଘଟୁଥିବା କୁହାଯାଉଛି। ଗତବର୍ଷ ଦେଶରେ ମୋଟ ୪୭୬ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୦୦ ମସିହା ପରଠାରୁ ଗତବର୍ଷ ପ୍ରଥମ ଥର ଲାଗି ସର୍ବାଧିକ ଆତ୍ମହତ୍ୟା ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ତଥ୍ୟ ଅନୁସାରେ ସାରା ବିଶ୍ୱରେ ୧୫ରୁ ୨୯ ବୟସ ବର୍ଗର ବ୍ୟକ୍ତି ବିଶେଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ସିଙ୍ଗାପୁରରେ ୧୦ ବର୍ଷର ପିଲା ଆତ୍ମହତ୍ୟାକୁ ଆପଣାଇଛନ୍ତି। ଏହାର ମୁଖ୍ୟ କାରଣ ମାନସିକ ଚିନ୍ତା, ସାମାଜିକ ଚାପ ଏବଂ ଅର୍ଥାଭାବ ହୋଇଥିବା ଆତ୍ମହତ୍ୟା ନିରୋଧୀ କେନ୍ଦ୍ର ସମରିଟାନ୍ସ ଅଫ୍‌ ସିଙ୍ଗାପୁରର ଚିଫ୍‌- ଏକ୍‌ଜିକ୍ୟୁଟିଭ୍‌ ଗାସ୍‌ପର ଟାନ୍‌ କହିଛନ୍ତି। ବିଶ୍ୱରେ ବର୍ଷକୁ ୭,୦୦,୦୦୦ ଲୋକ ଆତ୍ମହତ୍ୟାରେ ପ୍ରାଣ ହାରୁଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

Share