ଝୁମ୍ପୁରା,୨୪ା୨ (ଡି.ଏନ୍.ଏ.):କେନ୍ଦୁଝର ଜିଲା ବାରିଆ ଥାନା ନୟାଧନୁର୍ଜୟପୁର ଗ୍ରାମର ଜାତୀୟ ଖୋ ଖୋ ଖେଳାଳି ମନିକା ନାଏକ(୧୭) ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମନିକା ନିଜ ଘରେ ଫ୍ୟାନରେ ବେକ୍ରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରୋଇ କଳହରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା (ନଂ.୬/୨୩) ରୁଜୁ କରିଛି। ମନିକା ଉଖୁଣ୍ଡା କଲେଜରେ +୨ରେ ଅଧ୍ୟୟନ କରୁଥିଲେ। ଜାତୀୟ ଜୁନିୟର ମହିଳା ଖୋ ଖୋ ଦଳରେ ଓଡ଼ିଶା ପକ୍ଷରୁ ସାମିଲ ହୋଇ ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାରର ଅଧିକାରିଣୀ ହୋଇପାରିଥିଲେ। ନିକଟରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜୟୀ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।