ଟାଟା ପାୱାର କର୍ମଚାରୀଙ୍କ ଆତ୍ମହତ୍ୟା

କେନ୍ଦୁଝର,୧୫।୬(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମରେ ଟାଟା ପାୱାର ସଂସ୍ଥାରେ କାମ କରୁଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଫାସିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଯୁବକ ଜଣଙ୍କ ହେଲେ ନବିନ କୁମାର ଦେଓଙ୍କ ପୁଅ ସ୍ମୃତି ରଞ୍ଜନ ଦେଓ ଅରଫ ସିପୁନ(୨୬)। ସେ ଜଣେ ସମାଜ ସେବକ ଥିଲେ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଟାଟାପାୱାର ଅଧିନରେ ଥିବା ଏକ କମ୍ପାନୀରେ ଠିକା ଲାଇନ ମ୍ୟାନ ଭାବେ ସିପୁନ କାମ କରୁଥିଲେ। ଆଜି ସକାଳେ ତାଙ୍କ ଶୋଇବା ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ସମ୍ପର୍କକୁ ନେଇ ମାନସିକ ବିଷାଦରେ ରହି ଏଭଳି ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି। ଫୋନ ଯାଞ୍ଚ କରିବା ପରେ ଆତ୍ମହତ୍ୟାର କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି। ସବୁଦିନ ଭଳି ଗତ କାଲି ରାତିରେ ସିପୁନ ଖାଇବା ପରେ ଶୋଇଥିଲେ। ଗୁରୁବାର ସକାଳେ ନ ଉଠିବାରୁ ପରିବାର ଲୋକେ କବାଟ ଖୋଲି ଦେଖିଲାବେଳେ ସ୍ମୃତି ରଂଞ୍ଜନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସକାଳେ କେନ୍ଦୁଝର ଜିଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ସ୍ମୃତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଜବତ କରିବା ସହିତ ଏକ (କେସ ନମ୍ବର ୩୩/୨୦୨୩) ଅପମୃତ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ସଦର ଥାନା ଅଧିକାରୀ ସୁଶାନ୍ତ ଦାଶ କହିଛନ୍ତି। ବ୍ୟବଚ୍ଛେଦ କରାଇ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ସ୍ମୃତିଙ୍କ ଅକାଳ ବିୟୋଗରେ କଶିରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।