ଡା. ସମ୍ରାଟ କର
ଓଡ଼ିଆ ସିନେ ଓ ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ତଥା ୩ଦଶନ୍ଧିର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆମତ୍ହତ୍ୟା କରିଥିବା ଖବର ପ୍ରକାଶ ପାଇବା ପରେ ଏହା ସମସ୍ତଙ୍କୁ ବ୍ୟଥିତ କରିଛି। ପ୍ରାଥମିକ ତଦନ୍ତ ଆଧାରରେ ସେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଅତୀତରେ ଦେଶରେ ବହୁ ନାମିଦାମୀ କଳାକାର ଆମତ୍ହତ୍ୟା କରିଥିବାର ଦୃଷ୍ଟାନ୍ତ ରହିଛି। କେବଳ କଳାକାର ନୁହନ୍ତି କୃଷକ, କିଶୋରୀକିଶୋର, ଯୁବଗୋଷ୍ଠୀ, ବୃଦ୍ଧାବୃଦ୍ଧ ଓ ଯବାନମାନଙ୍କ ମଧ୍ୟରେ ଆମତ୍ହତ୍ୟା ପ୍ରବଣତା ପ୍ରକାଶ ପାଉଛି।
ଏକ ସର୍ବଶେଷ ପରିସଂଖ୍ୟାନ ତଥ୍ୟ ଅନୁଯାୟୀ ପାରିବାରିକ ସମସ୍ୟା କାରଣରୁ ଘଟୁଥିବା ଆମତ୍ହତ୍ୟାକୁ ଦେଖିଲେ ଓଡ଼ିଶାର ସ୍ଥାନ ୨ ନମ୍ବରରେ ରହିଛି। ଏହା ସତ୍ୟ ଯେ ଗତ କିଛିବର୍ଷ ଧରି ଲଗାତର ଦେଶରେ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି)ର ସଦ୍ୟତମ ରିପୋର୍ଟ ଅନୁସାରେ ଭାରତରେ ୨୦୨୧ରେ ମୋଟ ୧,୮୭,୧୨୩ ଲୋକ ଆତ୍ମହତ୍ୟା କରିଛନ୍ତି ଅର୍ଥାତ୍ ଦେଶରେ ପ୍ରତି ୪ ମିନିଟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୪୮୩୨ । ୨୦୨୧ ରେ ଦୈନିକ ହାରାହାରି ୧୪ଜଣ ଆତ୍ମହତ୍ୟା କରୁଛନ୍ତି। ପାରିବାରିକ ସମସ୍ୟା କାରଣରୁ ଆତ୍ମହତ୍ୟା ହାର ଅଧିକ। ମୋଟ ଆତ୍ମହତ୍ୟା ଘଟଣା ମଧ୍ୟରୁ ୬୦.୭ ହେଉଛି ପାରିବାରିକ କାରଣ। ୭୬.୪ ପ୍ରତିଶତ ସହ ଉତ୍ତରାଖଣ୍ଡ ରହିଛି ଦେଶର ତାଲିକା ଶୀର୍ଷରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ କାର୍ଯ୍ୟ କରୁଥିବା ଏନ୍ସିଆର୍ବିର ତଥ୍ୟ ଅନୁସାରେ ୨୦୨୧ ରେ ସହରାଞ୍ଚଳରେ ଆତ୍ମହତ୍ୟା ହାର ୧୩.୯ ପ୍ରତିଶତ ରହିଥିଲାବେଳେ ଦେଶରେ ଏହି ହାର ୧୦.୪ ପ୍ରତିଶତ ରହିଛି। ଏହି ବର୍ଷରେ ୫୬.୬ ପ୍ରତିଶତ ଲୋକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲାବେଳେ ୨୫.୮ ପ୍ରତିଶତ ଲୋକ ବିଷଖାଇ, ୫.୨ ପ୍ରତିଶତ ପାଣିରେ ବୁଡ଼ି ଏବଂ ୩.୮ ପ୍ରତିଶତ ନିଜ ଦେହରେ ନିଅଁା ଲଗାଇ ଆତ୍ମହତ୍ୟା କରିଛନ୍ତି। ଦେଶର ମୋଟ ଆତ୍ମହତ୍ୟା ମଧ୍ୟରୁ ୩୨.୪ ପ୍ରତିଶତ ମାମଲା ପାରିବାରିକ ସମସ୍ୟା ପାଇଁ ହୋଇଥିଲାବେଳେ ୧୭.୧ ପ୍ରତିଶତ ମାମଲା ଜଟିଳ ରୋଗ କାରଣରୁ, ୫.୫ ପ୍ରତିଶତ ବୈବାହିକ ସମସ୍ୟା କାରଣରୁ ହୋଇଛି। ୨୦୨୦ ତୁଳନାରେ ୨୦୨୧ ରେ ଆତ୍ମହତ୍ୟା ମାମଲାରେ ୩.୪ ପ୍ରତିଶତ ବୃଦ୍ଧି ଘଟିଛି। ପ୍ରତି ୧୦୦ ମାମଲାରୁ ୨୯.୮ ପ୍ରତିଶତ ମହିଳା ଏବଂ ୭୦.୨ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟାର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଏଠାରେ ୨୦୨୦ ରେ ୧୮,୯୧୬ ଜଣ ଆତ୍ମହତ୍ୟା କରିଥିଲାବେଳେ ତାମିଲନାଡୁ (୧୩,୪୯୩), ପଶ୍ଚିମବଙ୍ଗ (୧୨,୬୬୫), ମଧ୍ୟପ୍ରଦେଶ (୧୨,୪୫୭), କର୍ନାଟକ (୧୧,୨୮୮) ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ଅଛନ୍ତି। ୨୦୧୭ ରେ ଓଡ଼ିଶାରେ ଆତ୍ମହତ୍ୟା ମାମଲା ୪୪୯୩ ଥିଲାବେଳେ ୨୦୧୯ ରେ ଏହା ବୃଦ୍ଧି ପାଇ ୪୫୮୨ରେ ରହିଥିଲା। ଏଥିରୁ ୨୫୯୬ ଜଣ ପୁରୁଷ ଥିଲାବେଳେ ୧୯୮୬ ଜଣ ହେଉଛନ୍ତି ମହିଳା। ପାରିବାରିକ ସମସ୍ୟା କାରଣରୁ ଆତ୍ମହତ୍ୟାର ସର୍ବାଧିକ ହାର ଉତ୍ତରାଖଣ୍ଡରେ ରହିଛି। ଏଠାରେ ୨୦୨୧ ରେ ୫୧୬ ଜଣ ଆତ୍ମହତ୍ୟା କରିଥିଲା ବେଳେ ୩୯୪ ଜଣ ଅର୍ଥାତ୍ ୭୬.୪ ପ୍ରତିଶତ ମାମଲା ପାରିବାରିକ ବିବାଦ କାରଣରୁ ଘଟିଛି। ଦ୍ୱିତୀୟରେ ଓଡ଼ିଶାରେ ମୋଟ ୪୫୮୨ ଜଣଙ୍କ ମଧ୍ୟରୁ ୨୭୭୯ଜଣ ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି। ତୃତୀୟରେ ତ୍ରିପୁରା (୫୫.୪%) ଏବଂ ଚତୁର୍ଥରେ ରହିଛି ତାମିଲନାଡୁ (୬୮୪୩-୫୦%)। ୨୦୧୯ରେ ଓଡ଼ିଶାରେ ୫୫୮ ଜଣ ଅବିବାହିତ ଯୁବକ, ୬୧୭ ଜଣ ଅବିବାହିତ ଯୁବତୀ ଆତ୍ମହତ୍ୟା କରିଥିଲେ। ମୋଟ ଆତ୍ମହତ୍ୟା ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୨୫୯୬ ଏବଂ ମହିଳାଙ୍କ ସଂଖ୍ୟା ୧୯୮୬ ରହିଛି। ତେବେ ଚିନ୍ତାର ବିଷୟ ହେଉଛି , ପାରିବାରିକ ସମସ୍ୟା ରାଜ୍ୟରେ ବଢ଼ିବା। ତଥ୍ୟ ସୂଚାଉଛି ରାଜ୍ୟରେ ମୋଟ ଆତ୍ମହତ୍ୟାରୁ ଅଧାରୁ ଅଧିକ ହେଉଛି ଏହି କାରଣ। ବିବାହିତ ଦମ୍ପତି ପାରିବାରିକ ସମସ୍ୟାରେ ଏତେ ଛନ୍ଦି ହୋଇପଡ଼ୁଛନ୍ତି ଯେ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି।
ମନୁଷ୍ୟର ଚେତନା ଯଦି ବ୍ୟକ୍ତିକୈନ୍ଦ୍ରିକ ଓ ଆକାଶଚୁମ୍ବୀ ଆଶା ସହିତ ଜଡ଼ିତ ହୁଏ, ତେବେ ତା’ର ଚେତନା ଦେହ, ମନ, ଇନ୍ଦ୍ରିୟ, ବୁଦ୍ଧି ଭଳି ନିମ୍ନ ସ୍ତରରେ ଅଟକିଯିବା ସାର ହେବ, ଯେଉଁଠି ନୈରାଶ୍ୟ ଓ ମାନସିକ ଚାପ କବଳରେ ପଡ଼ିଯାଇ ଆତ୍ମହତ୍ୟାର ଶିକାର ହେବା ସହଜ ହେବ। ମୋଟ ଉପରେ କହିବାକୁ ଗଲେ, ପ୍ରତ୍ୟେକ ମନୁଷ୍ୟ ଆସ୍ତିକ ହେଉ ବା ନାସ୍ତିକ, ବୁଝିବା ଉଚିତ ଯେ ଜଡ଼ ଓ ଚେତନା ସମ୍ମିଶ୍ରିତ ଜୀବନ ପ୍ରକୃତିର ଏକ ଅବଦାନ, ଯାହାକୁ ସଫଳତା ଓ ବିଫଳତାର ଦ୍ୱାହିଦେଇ ଆମର ନଷ୍ଟ କରିବାର ଅଧିକାର ନାହିଁ। ଆଶା ଓ ନିରାଶା, ଦୁଃଖ ଓ ସୁଖର ଲୁଚକାଳି ଖେଳ ମଣିଷ ମନରେ ଘଟିବ ହିଁ ଘଟିବ। ସେସବୁ ଆବେଗ ସହିତ ନିଜକୁ ବାନ୍ଧି ହର୍ଷୋତ୍ଫୁଲ୍ଲତ କି ନୈରାଶ୍ୟରେ ନିଜକୁ ଭସାଇ ଦେବା ଉଚିତ ନୁହେଁ। ଆଜିର ଶିକ୍ଷା ପ୍ରଣାଳୀରେ ଏପରି ଦାର୍ଶନିକ ଭାବଧାରା ସାମିଲ ହେବା ଉଚିତ। ଭାରତରେ ବି ମେଣ୍ଟାଲ ହେଲ୍ଥ କେୟାର ଆକ୍ଟ -୨୦୧୭ ରେ ମାନସିକ ରୋଗର ନିରାକରଣ ପାଇଁ ବିଧି ବ୍ୟବସ୍ଥା ହୋଇଛି। ସେହି ଆଇନରେ ମନୋବିଜ୍ଞାନୀମାନଙ୍କ ପରାମର୍ଶ, ସାମାଜିକ କର୍ମୀଙ୍କ ନିଯୁକ୍ତି ଭଳି ଅନେକ ପ୍ରକାର ଉତ୍ତମ ବ୍ୟବସ୍ଥା ବି ରହିଛି। ତେବେ କେବଳ ଆଇନ ଭିତରେ ଏହାକୁ ସୀମିତ ରଖିଲେ ଚଳିବନି, ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ହିଁ ଆତ୍ମହତ୍ୟାକୁ ଟାଳିହେବ। ଏତଦ୍ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ନିଯୁକ୍ତି ଯେତେ ମାତ୍ରାରେ ଅଧିକ ହେବ, ସେତେ ମାତ୍ରାରେ ମହିଳାମାନଙ୍କ ଆତ୍ମହତ୍ୟା ପ୍ରବଣତାର ଅବସାନ ଘଟିବ, ଯେମିତି ଚାଇନାରେ ସମ୍ଭବ ହୋଇଛି। ଆତ୍ମହତ୍ୟାକୁ ଏକ ଉତ୍କଟ ସାମାଜିକ ବ୍ୟାଧି ଭାବରେ ଆମକୁ ଗ୍ରହଣ କରିବାକୁ ହେବ। ଏଥିପାଇଁ ସରକାରଙ୍କ ଉପରକୁ କେବଳ ଦାୟିତ୍ୱ ଖସାଇଦେଇ ଆମେ ନୀରବଦ୍ରଷ୍ଟା ସାଜିଲେ ଲାଭ ହେବ ନାହିଁ। ସରକାର, ମନୋବିଜ୍ଞାନୀ, ସାମାଜିକ କର୍ମୀ, ମନସ୍ତାତ୍ତ୍ୱିକ ପରାମର୍ଶଦାତା, ଧାର୍ମିକ ବ୍ୟକ୍ତିବିଶେଷ, ଦାର୍ଶନିକ, ବୁଦ୍ଧିଜୀବୀ ଓ ଶିକ୍ଷକଙ୍କ ଭଳି ବିଜ୍ଞଜନମାନେ ଏ ବାବଦରେ ସଚେତନତା ସୃଷ୍ଟି ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସ୍ତରରେ ପ୍ରୟାସ କରିବା ଉଚିତ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍, ପୁରୀଘାଟ ରୋଡ୍,
କଟକ, ମୋ-୯୧୩୨୪୩୩୩୩୩