Categories: ଫୁରସତ

ସୂର୍ଯ୍ୟଙ୍କ ପୃଷ୍ଠଭୂମିର ଚିତ୍ର ପଠାଇବ ଏସ୍‌ୟୁଆଇଟି

ପୁଣେ: ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର୍‌ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ) ନିକଟରେ ଏକ ସୂର୍ଯ୍ୟ ମିଶନ ପାଇଁ ଟେଲିସ୍କୋପ ପ୍ରସ୍ତୁତ କରିଛି। ସୋଲାର ଅଲ୍ଟାଭାଉଲେଟ୍‌ ଇମେଜିଂ ଟେଲିସ୍କୋପ(ଏସ୍‌ୟୁଆଇଟି) ବର୍ତ୍ତମାନ ଭାରତୀୟ ମହାକାଶ ଅନୁସନ୍ଧାନ ଅନୁଷ୍ଠାନ(ଇସ୍ରୋ) ପକ୍ଷରୁ ଛଡ଼ାଯିବ। ଏହି ଟେଲିସ୍କୋପ ଆଦିତ୍ୟ-ଏଲ୍‌୧ ମିଶନ ସହିତ ଏକୀଭୂତ ହେବାକୁ ଯାଉଛି, ଯାହା ଚଳିତ ବର୍ଷ ମଧ୍ୟ-ଅଗଷ୍ଟ ସୁଦ୍ଧା ସୂର୍ଯ୍ୟଙ୍କ ନିକଟକୁ ପଠାଯିବ ବୋଲି ଜଣାପଡିଛି। ଆଇୟୁସିଏଏ କର୍ତ୍ତୃପକ୍ଷ ପ୍ରଫେସର ଶ୍ରୀଆନନ୍ଦ କହିଛନ୍ତି, ଆଦିତ୍ୟ-ଏଲ୍‌୧ ମିଶନ ଏହି ସୂର୍ଯ୍ୟ ମିଶନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଉପକରଣ। ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟଙ୍କ ଅଧ୍ୟୟନ କରିବାରେ ଇସ୍ରୋର ପ୍ରଥମ ମହାକାଶ ପରୀକ୍ଷଣକାରୀ ହେବ। ଏହା ପୃଥିବୀଠାରୁ ପାଖାପାଖି ୧.୫ ମିଲିୟନ୍‌ କିଲୋମିଟର ଦୂରରେ ଉଡ଼ିବ। ସୂର୍ଯ୍ୟଙ୍କ ପମୃଷ୍ଠଭୂମି ଏବଂ ସେଠାକାର ବାୟୁମଣ୍ଡଳୀୟ ପାଣିପାଗ ଉପରେ ନିୟମିତ ଚିତ୍ର ପଠାଇବା ଏହି ମିଶନର ଲକ୍ଷ୍ୟ। ବିଦ୍ୟୁତ୍‌ ଚୁମ୍ବକୀୟ ସ୍ପେକ୍ଟ୍ରମ୍‌ ଏବଂ ସୋଲାର ପବନରେ ସୂର୍ଯ୍ୟଙ୍କ ଉପରେ ବିଭିନ୍ନ ଘଟଣା ଅଧ୍ୟୟନ କରିବାରେ ସକ୍ଷମ ଥିବା ଆଦିତ୍ୟ-ଏଲ୍‌୧ ମିଶନର ୭ଟି ଭିନ୍ନ ପେଲୋଡ୍‌ ବହନ କରିବ। ପ୍ରଫେସର ଏନ୍‌ ରାମପ୍ରକାଶ ଏବଂ ପ୍ରଫେସର ଦୁର୍ଗେଶ ତ୍ରିପାଠୀଙ୍କ ନେତୃତ୍ୱରେ ଆଇୟୁସିଏଏରେ ପ୍ରସ୍ତୁତ ଏସ୍‌ୟୁଆଇଟି ନିର୍ମିତ ହୋଇଛି। ଏହି ଦୁଇ ପ୍ରଫେସର କହିଛନ୍ତି, ଆଦିତ୍ୟ-ଏଲ୍‌୧ କଠିନ ଏକ୍ସ-ରେରୁ ଇନ୍‌ଫ୍ରାରେଡ୍‌ ପର୍ଯ୍ୟନ୍ତ ସୋଲାର ବିକିରଣ ସହ ସେଥିରେ ଥିବା କଣିକାର ମାପ କରିବାରେ ସକ୍ଷମ ହେବ। ଏଥିସହ ପବନ ଏବଂ ଏଲ୍‌-୧ ପଏଣ୍ଟରେ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ମଧ୍ୟ ମାପିବ। ପ୍ରଫେସର ତ୍ରିପାଠୀ କହିଛନ୍ତି, ଏସ୍‌ୟୁଆଇଟି ପ୍ରଥମ ଥର ପାଇଁ ବାୟୁମଣ୍ଡଳରେ ଓଜନ ଓ ଅମ୍ଳଜାନକୁ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ତରଙ୍ଗର ପ୍ରତିଛବିକୁ ମାପ କରିବ। ଏଥିସହ ଚର୍ମ କର୍କଟ ଘଟାଉଥିବା ଅତିବାଇଗଣୀ ରଶ୍ମିକୁ ମଧ୍ୟ ଏସ୍‌ୟୁଆଇଟି ମାପିବ। ଏହି ଉପକରଣ ଛଡ଼ାଯିବା ପରେ ହାଲୋ ଅର୍ବିଟ୍‌ର ଏଲ୍‌-୧ ପଏଣ୍ଟରେ ପହଞ୍ଚିବାକୁ ଏହାକୁ ୧୦୦ ଦିନ ସମୟ ଲାଗିବ। ଏସ୍‌ୟୁଆଇଟିକୁ ପ୍ରସ୍ତୁତ କରିବାକୁ ୧୦ ବର୍ଷ ହେବ ୨୦୦ରୁ ୩୦୦ ବୈଜ୍ଞାନିକ ନିୟୋଜିତ ହୋଇଥିଲେ।

Share