Advertisement

ଦିଲ୍ଲୀରେ ଏବେ ବି ମୁଠା ଟାଣ

ଭୁବନେଶ୍ୱର, ୮।୪(ରବିନାରାୟଣ ଜେନା): ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ  ଦିଲ୍ଲୀରେ ସୁଜାତା ଆର. କାର୍ତ୍ତିକେୟନଙ୍କ ଅବସରକୁ ନେଇ କେତେକ ଓଡ଼ିଆ ଅଫିସରଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର ଜଣେ ମହିଳା ପ୍ରଶାସନିକ ଅଧିକାରୀ କିଭଳି ତାଙ୍କ କାର୍ଯ୍ୟକାଳ ଭିତରେ ମହିଳାମାନଙ୍କ ପ୍ରେରଣାର ଉତ୍ସ ସାଜିଥିଲେ  ଓ ମହିଳା ସଶକ୍ତୀକରଣ କରିଥିଲେ ସେନେଇ  ଦିଲ୍ଲୀରେ ଏକ ଇଂଲିଶ ଲିଫ୍‌ ଲେଟ୍‌ ବିଭିନ୍ନ କାର୍ଯ୍ୟାଳୟରେ ଘୂରି ବୁଲୁଛି। ଏଭଳି ବାର୍ତ୍ତା ଜଣେ ସ୍ବେଚ୍ଛାକୃତ ଅବସର ଓଡ଼ିଆ ମହିଳା ଅଧିକାରୀଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ହୋଇଥିବାରୁ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କେତେକ ବରିଷ୍ଠ ଖବରଦାତା ଏହାକୁ ସୁଜାତାଙ୍କ ରାଜନୈତିକ ଚାଲ୍‌ ବୋଲି କହୁଥିବାବେଳେ ଆଉ କେତେକେ ଜଣେ ସଫଳ ମହିଳାଙ୍କ କାହାଣୀ ବୋଲି ବିବେଚନା କରୁଛନ୍ତି।
ତେବେ ସୂତ୍ର ଅନୁଯାୟୀ, ସୁଜାତା ମାର୍ଚ୍ଚ ୧୩ରେ ସ୍ବେଚ୍ଛାକୃତ ଅବସର ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ୨୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ସ୍ବେଚ୍ଛାକୃତ ଅବସର ମଞ୍ଜୁର ପାଇଁ ସୁପାରିସ କରାଯାଇଥିଲା। ମାର୍ଚ୍ଚ ୨୮ରେ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ସୁଜାତାଙ୍କ ଅବସର ପତ୍ରକୁ ଅନୁମୋଦନ କରିଥିଲେ। ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରର ଅନୁମତି ମିଳିଥିଲା। ଏଥିରେ ଦିଲ୍ଲୀରେ ତାଙ୍କର କେତେ ମୁଠା ଟାଣ (ପକଡ) ରହିଛି ତାହା ସ୍ପଷ୍ଟ ବୁଝାପଡୁଛି।  ଏହା ପରେ ଦିଲ୍ଲୀର କେତେକ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଏକ ଇଂଲିଶ ଲିଫ୍‌ ଲେଟ୍‌ ଜରିଆରେ ସୁଜାତାଙ୍କ କୃତିତ୍ୱ ବଣ୍ଟନ କରାଯାଇଥିଲା।
ଲିଫ୍‌ ଲେଟ୍‌ରେ ଉଲ୍ଲେଖ ରହିଛି, ସେ ଜଣେ ମହିଳା;  ଯିଏ ସଦାସର୍ବଦା ମହିଳାଙ୍କୁ ସଶକ୍ତୀକରଣ କରିବାର ଲକ୍ଷ୍ୟ ରଖିଥିଲେ।   ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଭାବରେ ସୁଜାତା ଯୋଗଦେଇଥିଲେ ଏବଂ ଆଇଏଏସ୍‌ ଏକାଡେମୀରେ ସେ ସ୍ବର୍ଣ୍ଣପଦକ ବିଜେତା ଥିଲେ।
ନକ୍ସଲ ପ୍ରଭାବିତ ସୁନ୍ଦରଗଡ଼ ଜିଲାରେ ଜିଲାପାଳ ଭାବେ  ସୁଜାତା କାମ କରୁଥିବାବେଳେ ସେ ଏକ ନୂଆ ପଦକ୍ଷେପ ନେଇଥିଲେ। ସୁନ୍ଦରଗଡ଼ ଜିଲାରେ ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ହାର କମାଇବା ପାଇଁ ୨୦୦୫ରେ ବ୍ୟାଙ୍କ ପ୍ରୋତ୍ସାହନରେ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କ ପାଇଁ ସାଇକେଲ ଯୋଗାଇବାର ବ୍ୟବସ୍ଥା ଆରମ୍ଭ କରିଥିଲେ।   ସେତେବେଳେ ଝିଅମାନଙ୍କ ପାଇଁ ବିଦ୍ୟାଳୟକୁ ଯିବା ରାସ୍ତା ଅତ୍ୟନ୍ତ ଦୁର୍ଗମ ଥିଲା, ବିଶେଷ କରି  ଅଷ୍ଟମ ଶ୍ରେଣୀ ପରେ ଜନଜାତି ଝିଅମାନେ ବିଦ୍ୟାଳୟ ଛାଡ଼ି ଦେଉଥିଲେ। ଏହାକୁ ନେଇ ସେ ସାଇକେଲ ଯୋଜନା ଆରମ୍ଭ କରିଥିଲେ।  ଏହାର ମୁଖ୍ୟ ମନ୍ତ୍ର ଥିଲା ‘ଚଳନଶୀଳତା ହେଉଛି ସଶକ୍ତୀକରଣ’। ଏହି ସରଳ ପଦକ୍ଷେପ ଯୋଗୁ ଛାତ୍ରୀମାନଙ୍କ ଶିକ୍ଷା ଅବ୍ୟାହତ ରହିଲା ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସଶକ୍ତ କରିଥିଲା। ପରେ ଏହି ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଥିଲା।
ପରବର୍ତ୍ତୀ ସମୟରେ ସେ ‘ଫୁଟବଲ୍‌ କଲେକ୍ଟର’ ଭାବେ ଜଣାଶୁଣା ଥିଲେ, କାରଣ ସେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଦୂରବର୍ତ୍ତୀ ଗ୍ରାମଗୁଡ଼ିକୁ ଫୁଟବଲ୍‌ ଓ ହକି ସାମଗ୍ରୀ ବଣ୍ଟନ କରୁଥିଲେ।  ଯୁବବର୍ଗଙ୍କୁ ଖେଳ ପାଇଁ ପ୍ରୋତ୍ସାହନ ମିଳୁଥିବାରୁ ସେ ଏହାକୁ ସ୍ବାଗତ କରୁଥିଲେ। ଫଳରେ ନକ୍ସଲ ଅପରାଧ ବା ମାଦକଦ୍ରବ୍ୟରୁ ଯୁବବର୍ଗ ଦୂରେଇ  ରହୁଥିଲେ।  ୨୦୦୬ରେ ସୁନ୍ଦରଗଡ଼ ଜିଲାରେ ମଧ୍ୟାହ୍ନଭୋଜନ ଯୋଜନାରେ ଅଣ୍ଡାକୁ ସାମିଲ କରିଥିଲେ ବୋଲି ଲିଫ୍‌ଲେଟ୍‌ରେ ଉଲ୍ଲେଖ ରହିଛି।
ପରେ ସେ କଟକ ଜିଲାପାଳ ଓ ମିଶନ ଶକ୍ତି ନିର୍ଦ୍ଦେଶିକାରୁ   ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବରେ କାର୍ଯ୍ୟ କରିଛନ୍ତି।  ସେହି ସମୟରେ, ସେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିବା ଲିଫ୍‌ଲେଟ୍‌ରେ ଉଲ୍ଲେଖ ରହିଛି;  ଯାହା ସବୁ ସମ୍ଭବତଃ ସରକାରୀ ଅଫିସର କରିବା କଥା। ତେବେ ଏହି ଲିଫ୍‌ଲେଟ୍‌ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା କୌତୂହଳ ଏବେ ନିକଟରେ ଓଡ଼ିଶାରେ ଆସି ପହଞ୍ଚିଛି।

Share