ନିଫ୍‌ଟ ନୋବେଲ୍‌ ଆଲୁମ୍‌ନିରେ ଓଡ଼ିଆ ପୁଅ ସୁଜିତ୍‌

ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ରାଜ୍ୟର ସମୃଦ୍ଧ ହସ୍ତତନ୍ତ କଳା ଏବେ ବିଶ୍ୱ ବଜାରରେ ନୂଆ ପରିଚୟ ପାଇଛି। ଓଡ଼ିଶା ହସ୍ତତନ୍ତ ସାମଗ୍ରୀର ସ୍ବତନ୍ତ୍ର ବ୍ରାଣ୍ଡିଂ କରିବା ସହ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଡିଜାଇନର ସୁଜିତ୍‌ ମେହେର ଆଉ ଏକ ଗୌରବ ଆଣିଛନ୍ତି। ତାଙ୍କ ନାମ ନିଫ୍‌ଟ ନୋବେଲ୍‌ ଆଲୁମନିରେ ସ୍ଥାନ ପାଇଛି। ସବ୍ୟସାଚୀ ମୁଖାର୍ଜୀ, ମନୀଷ ଅରୋରାଙ୍କ ଭଳି ସୁନାମଧନ୍ୟ ଫ୍ୟାଶନ ଡିଜାଇନରଙ୍କ ମଧ୍ୟରେ ସୁଜିତ୍‌ ମେହେରଙ୍କ ନାମ ସ୍ଥାନ ପାଇଛି। ଦୀର୍ଘଦିନ ଧରି ଓଡ଼ିଶାର ହସ୍ତତନ୍ତକୁ ବ୍ରାଣ୍ଡିଂ କରିବା ନେଇ ଚିନ୍ତା କରାଯାଉଥିବାବେଳେ ଏହାକୁ ବାସ୍ତବରେ କରି ଦେଖାଇଛନ୍ତି କଳାହାଣ୍ଡିର ପୁଅ ସୁଜିତ୍‌। ଏହାଦ୍ୱାରା ହସ୍ତତନ୍ତ ଶାଢି ଓ ପୋଷାକର ଚାହିଦା ବୃଦ୍ଧି ପାଇବ। ବିଦେଶକୁ ହସ୍ତତନ୍ତ ଯୋଗାଣର ବାଟ ପ୍ରଶସ୍ତ ହେବା ସହ ଓଡ଼ିଶା ନାଁରେ ଆଉ ଏକ ଫର୍ଦ୍ଦ ଯୋଡିହେବ। କେବଳ ସେତିକି ନୁହେଁ, ଏହାଦ୍ୱାରା ରାଜ୍ୟର ବହୁ ବୁଣାକାର ମଧ୍ୟ ଉପକୃତ ହୋଇପାରିବେ।
ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜି (ନିଫ୍‌ଟ) ବେଙ୍ଗାଲୁରୁରୁ ଡିଜାଇନ୍‌ ପାଠ୍ୟକ୍ରମ ଶେଷ କରିବା ପରେ ସୁଜିତ ୭ବର୍ଷ ହେବ ଓଡ଼ିଶାର ହସ୍ତତନ୍ତକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପରୀକ୍ଷା ନିରୀକ୍ଷା କରିଥିଲେ। ଏନେଇ ସୁଜିତ୍‌ କୁହନ୍ତି, ହସ୍ତତନ୍ତକୁ ନେଇ ବହୁତ ଲିମିଟେଶନ ରହିଥିବା ମୁଁ ଦେଖିଥିଲି। ସମ୍ବଲପୁରୀରେ କେବଳ ଶାଢି ଓ ସାଲ୍‌ଓ୍ବାର ହିଁ ହୋଇପାରିବ ବୋଲି ଏକ ପ୍ରକାର ଧାରଣା ସମସ୍ତଙ୍କ ମନରେ ରହିଥିଲା। ଏହାକୁ ହିଁ ମତେ ବଦଳାଇବାର ଥିଲା। ୨୦୧୩ରେ ଡିଜାଇନ୍‌ ପାଠ୍ୟକ୍ରମ ସରିବା ପୂର୍ବରୁ ୨୦୧୨ରେ ପ୍ରଥମ କରି ମୁଁ ବାଙ୍ଗାଲୋରରେ ଓଡ଼ିଶାର ହସ୍ତତନ୍ତକୁ ନେଇ ଏକ ଫ୍ୟାଶନ ଶୋ’ କରିଥିଲି। ଏହା ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲା। ଆମେ ନିଜ ହସ୍ତତନ୍ତର ମହତ୍ତ୍ୱ ବୁଝୁନେ, ମାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ଖୁବ୍‌ କ୍ରେଜ୍‌ ରହିଛି। ଏମିତିକି ରଷିଆନ ଓ ୟୁରୋପିଆନ୍‌ ମୋଡ୍‌ରେ ଆମ ହସ୍ତତନ୍ତକୁ ଲୋକମାନେ ଭଲ ପସନ୍ଦ କରୁଛନ୍ତି ବୋଲି ସୁଜିତ କହିଛନ୍ତି।

Share