Categories: ଜାତୀୟ

ଓଡ଼ିଶାରେ ଆଦିବାସୀ ସଂଗ୍ରହାଳୟ ଲାଗି ସୁଜିତଙ୍କ ଦାବି

ନୂଆଦିଲ୍ଲୀ,୨୬।୩: ଆଦିବାସୀ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ବିଜେଡି ଏମ୍‌ପି ସୁଜିତ କୁମାର ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକଲୋଚନକୁ ଆସିପାରି ନ ଥିବା ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ଉଦ୍ୟମକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ସୁଜିତ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ରାଜ୍ୟ ସଭାରେ ଶୂନ୍ୟକାଳରେ ବିଜେଡି ଏମ୍‌ପି ଆଦିବାସୀ ମ୍ୟୁଜିୟମ ପ୍ରସଙ୍ଗ ଉଠାଇଥିଲେ। ୧୦ ରାଜ୍ୟରେ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମ୍ୟୁଜିୟମ ସ୍ଥାପନ ପାଇଁ ଉଦ୍ୟମ ହେଉଥିବାବେଳେ ଓଡ଼ିଶାକୁ ଅଣଦେଖା କରାଯାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶା ଜନସଂଖ୍ୟାର ୨୨.୮ ପ୍ରତିଶତ ଆଦିବାସୀ। ଏଠାରେ ଅନେକ ସ୍ବାଧୀନତା ସଂଗ୍ରାମୀ ରହିଛନ୍ତି। ୧୪.୮% ଆଦିବାସୀ ଥିବା ଗୁଜରାଟକୁ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବାବେଳେ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ଗାଙ୍ଗପୁରରେ ଚାଷୀ ନେତା ନିର୍ମଳ ମୁଣ୍ଡା ଆଦିବାସୀମାନଙ୍କୁ ସଂଗଠିତ କରି ସରକାରଙ୍କୁ ଅତ୍ୟଧିକ ଟିକସ ନ ଦେବାକୁ ପରାମର୍ଶ ଦେଇଥିଲେ। ୧୮୩୬ରେ କନ୍ଧ ବିଦ୍ରୋହର ନେତୃତ୍ୱ ନେଇଥିଲେ କମଳଲୋଚନ ଦୋରା ବେଶୋୟୀ। ବ୍ରିଟିଶ କର୍ତ୍ତୃପକ୍ଷ ଉକ୍ତ ବିଦ୍ରୋହକୁ ଚାପି ଦେବା ସହ ଦୋରାଙ୍କୁ ଗିରଫ କରିବା ସହ ଅନେକ କନ୍ଧ ଗ୍ରାମକୁ ଧ୍ୱଂସ କରିଦେଇଥିଲେ। ହେଲେ ସେମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଦମନ କରିପାରି ନ ଥିଲେ ବୋଲି ସୁଜିତ କହିଛନ୍ତି।

Share