ପାରାଦୀପ,୨୬ା୫(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଅଠରବାଙ୍କି ବଜାରରେ ଅଛି ଏକ ସାଇକେଲ ମରାମତି ଦୋକାନ। ଏହି ଦୋକାନ ଏଇଥି ପାଇଁ ନିଆରା ଯେ, ସେଠାରେ ସାଇକେଲ ମରାମତି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ। କାନ୍ଧ ପାଖରୁ ଡାହାଣ ହାତ ନାହିଁ। ଗୋଟିଏ ହାତ ଓ ଗୋଡ ଦ୍ୱାରା ସେ ସାଇକେଲ, ଗ୍ୟାସ ଚୁଲା ମରାମତି କାମ କରିବା ସହ ବିଭିନ୍ନ ପାଟର୍ସ ବିକୁଛନ୍ତି। ସେ ହେଲେ ଶୁକାନ୍ତ କୁମାର ମହାପାତ୍ର(୫୫)।
ଯୁବ ସୁଲଭ ଭଳି କାମ କରୁଛନ୍ତି ଏବଂ ସେହି ରୋଜଗାରରେ ପରିବାର ପ୍ରତିପୋଷଣ କରୁଛନ୍ତି। କିପରି ଏକ ହାତ ହରାଇଲେ ପଚାରିଲେ ସୁକାନ୍ତ କୁହନ୍ତି, ପିଲାବେଳେ ଗଛରୁ ଆମ୍ବ ତୋଳିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡିଥିଲି। ସେତେବେଳେ ହାତ ଭାଙ୍ଗି ଯାଇଥିଲା। ଚିକିତ୍ସା ସମୟରେ ସେଫଟିକ୍ ହୋଇଯିବାରୁ ହାତ କାଟିବାକୁ ପଡିଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଶାସନିପଡ଼ା ଗ୍ରାମରେ। ୩ ଭାଇ ମଧ୍ୟରେ ସେ ସବାସାନ ଥିଲେ। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ଏମିତି ଦୁର୍ଘଟଣା ଘଟିଥିଲା। ଗୋଟିଏ ହାତ ହରାଇବା ଏବଂ ଆର୍ଥିକ ଅନଟନ ଯୋଗୁ ନବମ ଶ୍ରେଣୀରୁ ପାଠରେ ଡୋରି ବନ୍ଧା ହେଲା। ୧୯୮୦ରେ ପାରାଦୀପ ଆସି ଏକ ସାଇକେଲ ଦୋକାନରେ ମରାମତି କାମ ଶିଖିଥିଲି। ପରେ ନିଜେ ଅଠରବାଙ୍କି ବଜାର ରାସ୍ତା କଡ଼ରେ ସାଇକେଲ ମରାମତି କାର୍ଯ୍ୟ ଆରମ୍ଭ କରିଥିଲି। ୧୯୯୫ରେ ପାରାଦୀପ ପୌର ପରିଷଦ ଅଠରବାଙ୍କି ବଜାର ନିର୍ମାଣ କରିବା ବେଳେ ସେତେବେଳେ ଅର୍ଥ ଜମା କରି ନିଜେ ଏକ ଦୋକାନ ଘର ପାଇଛି। ଏହି ଦୋକାନ ରୋଜଗାରରୁ ପରିବାର ଚଳାଇବା ସହ ବିଜୟଚନ୍ଦ୍ରପୁରଠାରେ ଏକ ନିଜସ୍ବ ଘର ମଧ୍ୟ ସେ କରିଛନ୍ତି। ୨୦୦୩ରେ ବିବାହ କରିଥିଲେ। ଏବେ ୨ ପୁଅଙ୍କୁ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ମଧ୍ୟ କରୁଛନ୍ତି। ଗୋଟିଏ ହାତ ହରାଇ ଥିଲେ ହେଁ ସେ କେବେ ନିଜକୁ ଅସହାୟ ବୋଲି ମନେ କରିନାହାନ୍ତି। କିମ୍ବା ସରକାରୀ ଭାବେ କୌଣସି ସହାୟତା ଏ ପର୍ଯ୍ୟନ୍ତ ନେଇ ନାହାନ୍ତି। ଓଲଟି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ସାହାଯ୍ୟ ମଧ୍ୟ କରନ୍ତି। ଏଭଳି ଦୃଢ ମନୋବଳ ସମ୍ପର୍କରେ କୁହନ୍ତି, ଏଥିପାଇଁ ମୋର ବଡ଼ଭାଇ ଶରତଙ୍କ ଅବଦାନ ରହିଛି। ସେ ମୋତେ ମେଡ଼ିକାଲରେ ଥିବା ବେଳେ କହିଥିଲେ ଅବଶିଷ୍ଟ ଜୀବନ ଏମିତି ଗୋଟିଏ ହାତରେ ଚଳିବାକୁ ପଡିବ। ସେଥିପାଇଁ ତୋ ଆଗରେ ୨ଟି ବିକଳ୍ପ। ନିଜେ ଗୋଟିଏ ହାତରେ ସ୍ବାବଲମ୍ବୀ ନା ଅନ୍ୟର ସାହାଯ୍ୟ ଜରିଆରେ ବଞ୍ଚତ୍ବୁ। ସେତେବେଳେ ବାମ ହାତରେ କାମ କରିବା ଏବଂ ଲେଖିବା ବହୁତ କଷ୍ଟ ହୋଇଥିଲା। ସମୟ ଓ ପରିସ୍ଥିତି ସେହି ବାମ ହାତରେ ସବୁକିଛି କରିବାକୁ ବାଧ୍ୟ କରିଛି ବୋଲି ସେ କୁହନ୍ତି। ଅନ୍ୟ ଭିନ୍ନକ୍ଷମଙ୍କ ସମ୍ପର୍କରେ କୁହନ୍ତି, କେବେ ବି ନିଜକୁ ଅସହାୟ କିମ୍ବା ଅସହଜ ଭାବନ୍ତୁ ନାହିଁ। ମନୋବଳ ଦୃଢ କରି ଆଗକୁ ବଢ଼ିଲେ ନିଶ୍ଚୟ ସଫଳତା ମିଳିବ।