ଝିଅଙ୍କ ପାଇଁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ବିବାହ ସମୟରେ ମିଳିବ ୬୩ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୧୨।୧୦: କନ୍ୟା ସନ୍ତାନ ଜନ୍ମ ହେବା ମାତ୍ରେ ପରିବାରଲୋକଙ୍କ ମନରେ ପାଠପଢ଼ା ସହ ବିବାହକୁ ନେଇ ଚିନ୍ତା ପଶିଥାଏ। ଏଥିଲାଗି ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲୋକପ୍ରିୟ ସେଭିଂ ସ୍କିମ୍‌। ଏହାଦ୍ୱାରା ମାବାପା ନିଜ ଝିଅଙ୍କ ଲାଗି ଦୀର୍ଘ ସମୟ ମଧ୍ୟରେ ମୋଟା ଅଙ୍କର ଟଙ୍କା ଜମା କରିପାରିବେ। ତେବେ ବର୍ତ୍ତମାନ ସମୟରେ ସରକାରଙ୍କ ପକ୍ଷରୁ ଏହି ସ୍କିମ୍‌ରେ ନିବେଶ ରାଶିରେ ୮% ହାରରେ ସୁଧ ମଧ୍ୟ ମିଳୁଛି। ଏହି ସୁଧହାରର ସମୀକ୍ଷା ପ୍ରତି ୩ ମାସରେ ସରକାରଙ୍କ ପକ୍ଷରୁ ହୋଇଥାଏ।
ଝିଅ ଜନ୍ମ ହେବାର କିଛି ଦିନ ମଧ୍ୟରେ କରନ୍ତୁ ନିବେଶ:
ଯଦି ମାବାପା ଝିଅ ଜନ୍ମର ତୁରନ୍ତ ପରେ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିବା ଆରମ୍ଭ କରିଦିଅନ୍ତି ତେବେ ତାଙ୍କୁ ୧୫ ବର୍ଷ ଯାଏ ଟଙ୍କା ଜମା କରିବାକୁ ହେବ। କାରଣ ୧୪ ବର୍ଷ ହେବା ଯାଏ ଏଥିରେ ନିବେଶ କରିବାର ନିୟମ ରହିଛି। ଏହି ଯୋଜନାରେ ଝିଅଙ୍କ ବୟସ ୧୮ ବର୍ଷ ହେଲେ ବିବାହ ଅଥବା ଉଚ୍ଚଶିକ୍ଷା ଲାଗି ଆଶିଂକ ଭାବେ ଟଙ୍କା ଉଠାଇବାକୁ ଅନୁମତି ମିଳିଥାଏ। ହେଲେ ମୋଟ ଜମା  ରାଶିର ୫୦% ୧୮ ବର୍ଷ ବୟସରେ ବାହାର କରାଯାଇପାରିବ।
ଯଦି କେହି ସୁକନ୍ୟା ସମୃଦ୍ଧି ଯୋଜନାରେ ୧୫ ବର୍ଷ ଲାଗି ବର୍ଷକୁ ୧.୫ ଲକ୍ଷ ଟଙ୍କା ନିବେଶ କରିଥାଏ ତେବେ ମାଚୁରିଟି ସମୟରେ ୮% ସୁଧହାର ଅନୁଯାୟୀ ପ୍ରାୟ ୬୩,୭୯,୬୩୪ ଲକ୍ଷ ଟଙ୍କା ମିଳିବ। ଏମିତିରେ ଝିଅଙ୍କୁ ଅଧିକ ପଢ଼ାଇବାକୁ ଚାହୁଁଥିଲେ ତାଙ୍କ ପାଖରେ ମୋଟା ଅଙ୍କର ଟଙ୍କା ରହିବ। ବିବାହ କରିବାକୁ ଚାହୁଁଥିଲେ ବି ଧୁମ୍‌ଧାମରେ ଝିଅଙ୍କ ବିବାହ କରିପାରିବେ।
ଏହି ଯୋଜନାରେ ଜମାରାଶି ଉପରେ ଆୟକର ଅଧିନିୟମ ଧାରା ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ଯାଏ ଆୟକର ଟିକସ ଡିଡକ୍ସନ   ପାଇଁ କ୍ଲେମ୍‌ କରିପାରିବେ। ଏଥିସହ ଏହି ସ୍କିମ୍‌ରେ ମିଳୁଥିବା ସୁଧ ଏବଂ ମାଚୁରିଟି ରାଶି ମଧ୍ୟ ଟିକସ ମୁକ୍ତ ଅଟେ।
Share