Categories: ଜାତୀୟ

ସ୍ତ୍ରୀଙ୍କ ସହ ରହିବା ଜିଦ୍‌: ତିହାର ଜେଲ୍‌ରେ ଠକ ସୁକେଶଙ୍କ ଅନଶନ

ନୂଆଦିଲ୍ଲୀ,୧୭।୫: ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଗିରଫ ହୋଇଥିବା ଠକ ସୁକେଶ ଚନ୍ଦ୍ର ଶେଖର ଅନଶନରେ ବସିଛନ୍ତି। ଦିଲ୍ଲୀର ତିହାର ଜେଲରେ ସେ ସ୍ତ୍ରୀ ଲିନା ମାରିୟାଙ୍କ ସହ ରହିବାକୁ ଚାହୁଁଛନ୍ତି। ଏଥିଲାଗି ସେ ଖାଦ୍ୟପେୟ ଛାଡ଼ି ଭୋକ ଉପବାସରେ ଦିନ କାଟୁଛନ୍ତି। ତେବେ ଦିନକୁ ଦିନ ତାଙ୍କର ନୂଆ ନୂଆ ଡିମାଣ୍ଡ ଜେଲ ପ୍ରଶାସନ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି।

ତିହାର ଜେଲର ଡିଜି କହିଛନ୍ତି, ସୁକେଶ ଜେଲ୍‌ର ୬ ନମ୍ବର ମହିଳା କୋଠରୀରେ ବନ୍ଦୀଥିବା ତାଙ୍କ ସ୍ତ୍ରୀ ଲୀନାଙ୍କ ସହ ରହିବାକୁ ଚାହୁଁଛି। ସେ ଲିନାଙ୍କୁ ଭେଟିବା ଜିଦ୍‌ରେ ଗତ ଏପ୍ରିଲ ୨୩ରୁ ମେ’ ୨ ଓ ପରେ ମେ’ ୪ରୁ ମେ’ ୧୨ ଯାଏ ଅନଶନ କରି ସାରିଲେଣି। ଏହି ସମୟରେ ଯେପରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ନ ବିଗିଡେ ସେଥିପାଇଁ ଜେଲ କ୍ଲିନିକ୍‌ରେ ସାଲାଇନ ଲଗାଇବାକୁ ପଡିଥିଲା।

ପୂର୍ବରୁ ସୁକେଶଙ୍କୁ ପତ୍ନୀଙ୍କୁ ମାସରେ ଦୁଇ ଥର ଭେଟିବାକୁ ଅନୁମତି ମିଳିଛି। ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ସେ ଲୀନାଙ୍କୁ ଭେଟିପାରିବେ ବୋଲି ଅନୁମତି ରହିଛି। ଏହି ସୁବିଧା କେବଳ ସୁକେଶଙ୍କୁ ହିଁ ମିଳିଛି, ଅନ୍ୟ କଏଦୀଙ୍କୁ ଦିଆଯାଇ ନାହିଁ। ତଥାପି ସୁକେଶ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଓ ତାଙ୍କ ସହ ରହିବା ପାଇଁ ଜିଦ ଧରି ବସିଛନ୍ତି। ସମସ୍ତ ଆଇନ କାନୁନକୁ ଭାଙ୍ଗି ସୁକେଶ ନିଜ ପତ୍ନୀଙ୍କୁ ଭେଟିବାକୁ ଚାହୁଁଛନ୍ତି। କିନ୍ତୁ ଜେଲ ପ୍ରଶାସନ ଏହାକୁ ଅନୁମତି ଦେଉନାହିଁ।

କହିରଖୁଛୁ, ସୁକେଶ ୧୭ ବର୍ଷ ବୟସରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ସେ ନିଜକୁ ଜଣେ ବରିଷ୍ଠ ଅଧିକାରୀର ପରିଚୟ ଦେଇ ଧନୀମାନଙ୍କଠାରୁ ଫୋନ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ କରିଥିଲେ। ୨୦୦୭ ପର୍ଯ୍ୟନ୍ତ ସେ ୧୮ ବର୍ଷ ବୟସରେ ୧୦୦ରୁ ଅଧିକ ଲୋକଙ୍କୁ ଠକି ସାରିଥିଲେ। ଏହି ଚାନ୍ଦା ଅର୍ଥରେ ସେ ବଲିଉଡର କିଛି ନାମିଦାମୀ ଅଭିନେତ୍ରୀଙ୍କୁ ଦାମୀ ଉପହାର ଦେଇ ସେମାନଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା କଥା ଇଡି ଖୁଲାସା କରିଛି। ଏହି ଠକେଇ ମାମଲାରେ ସୁକେଶ ଚନ୍ଦ୍ର ଶେଖରଙ୍କ ପତ୍ନୀ ମଧ୍ୟ ସମାନ ଭାବେ ଭାଗିଦାରୀ ଅଛନ୍ତି।

Share