Categories: ଖେଳ

ସୁଖଜିତଙ୍କ ଡବଲ୍‌ରେ ଭାରତ ବିଜୟୀ

ଭୁବନେଶ୍ୱର (ସ୍ପୋଟର୍‌ସ ବ୍ୟୁରୋ)/ରାଉରକେଲା ଅଫିସ୍‌,୧୧ା୩: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତ। ଯୁବ ଖେଳାଳିଙ୍କୁ ନେଇ ଓହ୍ଲାଇଥିବା ଭାରତ ବିଶ୍ୱ ଚାମ୍ପିୟନ୍‌ ଜର୍ମାନୀକୁ ସମସ୍ତ ବିଭାଗରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ସୁଖଜିତ ସିଂ ଡବଲ୍‌ ଗୋଲ ସ୍କୋର କରିଥିବା ବେଳେ ହରମନ୍‌ପ୍ରୀତ ସିଂ ଗୋଟିଏ ଗୋଲ ଦେଇଥିଲେ। ଜର୍ମାନୀ ପକ୍ଷରୁ କୌଫମାନ୍‌ ପଲ୍‌ ଫିଲିପ ଓ ଷ୍ଟ୍ରୁଥୋଫ୍‌ ମାଇକେଲ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମ୍ୟାଚ ଆରମ୍ଭରୁ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଜର୍ମାନୀ ଘନଘନ ଆକ୍ରମଣ କରିଥିଲା। ତେବେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବରେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିବା ସହିତ ଆକ୍ରମଣକୁ ଜୋରଦାର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାକୁ କିଛି ସେକେଣ୍ଡ ରହିଥିବା ବେଳେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଅଧିନାୟକୂ ହରମନ୍‌ପ୍ରୀତ୍‌ ସିଂ। ଭାରତ ୧-୦ରେ ଆଗୁଆ ଥିତ୍ବା ବେଳେ ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟରେ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ ସୁଖଜିତ ସିଂ। ସମାନ କ୍ୱାର୍ଟରର ୪୨ ତମ ମିନିଟରେ ସୁଖଜିତ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୩-୦ ରେ ଆଗୁଆ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ହେବାକୁ ଏକ ମିନିଟ ରହିଥିବା ବେଳେ ଜର୍ମାନୀ ପକ୍ଷରୁ ୪୪ ତମ ମିନିଟରେ କୌଫମାନ୍‌ ପଲ୍‌ ଫିଲିପ୍‌ ଗୋଲ୍‌ ପରିଶୋଧ କରିଥିଲେ। ଅନ୍ତିମ କ୍ୱାର୍ଟରର ୫୭ ତମ ମିନିଟରେ ଷ୍ଟ୍ରୁଥୋଫ୍‌ ମାଇକେଲ ଏକ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଶନିବାର ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ।

Share