ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ

ଲହୁଣୀପଡ଼ା,୩ା୮(ଦାଶରଥି ପଣ୍ଡା): ମୁଣ୍ଡ ଗୁଞ୍ଜିବାକୁ ଭଲ ଘରେ ଖଣ୍ଡେ ନାହିଁ। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୭ ପ୍ରାଣୀ। ସରକାରୀ ଯୋଜନା କହିଲେ କେବଳ ୨୫ କେଜି ଚାଉଳ। ଏମାନଙ୍କ ପାଖରେ ନା ଅଛି ଘର, ନା ବିଜୁଳି, ନା ମିଳିଛି ଅନ୍ୟାନ୍ୟ ସରକାରୀ ସୁବିଧା। ଛିଣ୍ଡା ପଲିଥିନତଳେ ବିତୁଛି ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଲହୁଣୀପଡ଼ା ବ୍ଲକ ଦର୍ଜୀଂ ପଞ୍ଚାୟତ ଠିଆବେର୍ଣା ଗ୍ରାମର ଲାଲ୍‌ ସାହି ବସ୍ତିରେ। ଶୁକ୍ରା ମୁଣ୍ଡା ସ୍ତ୍ରୀ ପାର୍ବତୀ ମୁଣ୍ଡା ଏବଂ ସେମାନଙ୍କ ପୁଅ ଝିଅ ମିଶି ୫ ଜଣ। ସରକାରୀ ଯୋଜନାରେ ଏମାନଙ୍କୁ ଘରେ ଖଣ୍ଡେ ମିଳି ନ ଥିବାରୁ ଝାଟିମାଟି ତଳେ ଜୀବନ ଅତିବାହିତ କରୁଛନ୍ତି। ଘର ଅଛି ହେଲେ କାନ୍ଥ ନାହିଁ, ଉପରେ ପଲଥିନ ପଡ଼ିଛି। ଗୋଟିଏ ବଖରା ଘରେ ରୋଷେଇଠାରୁ ଆରମ୍ଭ କରି ଖାଇବା, ଶୋଇବା ସମସ୍ତ କାର୍ଯ୍ୟ କରିଥାନ୍ତି। ବର୍ଷା ହେଲେ ଏମାନଙ୍କ ଦୁର୍ଦ୍ଦଶା ବଢ଼ିଯାଏ। ସରୀସୃପ ସତେ ଯେମିତି ଏମାନଙ୍କ ସାଥୀ ପାଲଟି ଯାଇଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। କେବଳ ସେତିକି ନୁହେଁ ସେହି ବସ୍ତିରେ ପ୍ରାୟ ୩୦ ପରିବାର ବସବାସ କରିଥାନ୍ତି। ମାତ୍ର ୭ରୁ ୮ ପରିବାର ଘର ପାଇଥିଲେ ମଧ୍ୟ ଅନ୍ୟମାନେ ଆଜି ପର୍ଯ୍ୟନ୍ତ ଘର ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ତେଣୁ ସେମାନଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଘର ଯୋଗାଇଦେବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଲହୁଣୀପଡ଼ା ତହସିଲଦାର ସୌଦାମିନୀ ନାଏକଙ୍କୁ ପଚାରିବାରୁ, ତାଙ୍କ ନିକଟରେ ଏନେଇ କୌଣସି ଖବର ନାହିଁ। ତୁରନ୍ତ ସେ ପରିବାରକୁ ପଲିଥିନ ଯୋଗାଇ ଦିଆଯିବ। ଯଦି ଭୂମିହୀନ ଥାଏ ତେବେ ତଦନ୍ତ କରି ଖୁବଶୀଘ୍ର ତାଙ୍କୁ ୪ ଡେସିମିଲି ଜମି ପ୍ରଦାନର ବ୍ୟବସ୍ଥା କରାଯିବ। ଲହୁଣୀପଡ଼ା ବିଡିିଓ ଅନୁରାଗ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ, ସରକାରୀ ନିୟମ ଅନୁସାରେ ପର୍ଯ୍ୟାୟକ୍ରମେ ସେ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

Share