Categories: ଜାତୀୟ

‘ସୁଲ୍ଲି ଡିଲ୍ସ’ ଆପ୍‌ ନିର୍ମାତା ଗିରଫ

ନୂଆଦିଲ୍ଲୀ, ୧୦ା୧: ସୁଲି ଡିଲ୍ସ ଆପ୍‌ରେ ମୁସଲମାନ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ସେଗୁଡ଼ିକୁ ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ଦିଲ୍ଲୀ ପୋଲିସ ରବିବାର ଏହି ଆପ୍ଲିକେଶନ ନିର୍ମାତାଙ୍କୁ ଗିରଫ କରିଛି। ସେ ହେଲେ ମଧ୍ୟପ୍ରଦେଶର ବିସିଏ ଛାତ୍ର ଓମ୍‌କାରେଶ୍ୱର ଠାକୁର(୨୬)। ଗତ ବର୍ଷ ଏହି ଆପ୍‌କୁ ଲଞ୍ଚ କରାଯାଇଥିଲା। ଠାକୁର ଏହି ଆପ୍ଲିକେଶନ ନିର୍ମାଣ କରି ତାହାକୁ ଗିଟ୍‌ହବ୍‌ ପ୍ଲାଟଫର୍ମରେ ଛାଡ଼ିବା ସହ ଟୁଇଟରରେ ମଧ୍ୟ ଶେୟାର କରିଥିଲେ ବୋଲି ପୋଲିସ କହିଛି। ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇଛି। ସୁଲ୍ଲି ଡିଲ୍ସ ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରି। ସୂଚନା ଅନୁସାରେ, ଠାକୁର ୨୦୨୦ ଜାନୁୟାରୀରେ ଗ୍ୟାଙ୍ଗସିଓନ ଟୁଇଟର ହ୍ୟାଣ୍ଡେଲ ଯୋଗେ ‘ଟ୍ରେଡ୍‌ ମହାସଭା’ ଗ୍ରୁପ୍‌ରେ ସାମିଲ ହୋଇଥିଲେ। ଏହି ଗ୍ରୁପ୍‌ରେ ମୁସଲମାନ ମହିଳାଙ୍କୁ କିପରି ଟ୍ରୋଲ କରାଯାଇପାରିବ ସେ ବିଷୟରେ ଚର୍ଚ୍ଚା ହେଉଥିଲା। ସୁଲ୍ଲି ଡିଲ୍ସ ଆପ୍‌ ଆସିବା ପରେ ଏହି ଗ୍ରୁପ୍‌ର ସଦସ୍ୟମାନେ ଜଣାଶୁଣା ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମୁସଲମାନ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରିଥିଲେ। ଘଟଣା ସାମ୍‌ନାକୁ ଆସିବା ପରେ ଠାକୁର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଡିଲିଟ୍‌ କରିଦେଇଥିଲେ। ତେବେ ଏହି ମାମଲାରେ ଓମ୍‌କାରେଶ୍ୱରଙ୍କୁ ଫସାଯାଇଥିବା ତାଙ୍କ ବାପା ଅଖିଳେଶ
ଠାକୁର କହିଛନ୍ତି।

‘ସୁଲ୍ଲି ଡିଲ୍ସ’…
ନିକଟରେ ଗିଟ୍‌ହବ୍‌ ପ୍ଲାଟଫର୍ମରେ ଆଉ ଏକ ଆପ୍‌ ବୁଲ୍ଲି ବାଈକୁ ନେଇ ମାମଲା ରୁଜୁ ହୋଇଥିଲା। ସେଥିରେ ମଧ୍ୟ ସୁଲ୍ଲି ଡିଲ୍ସ ଆପ୍‌ ଭଳି ଜଣାଶୁଣା ମୁସଲମାନ ମହିଳାଙ୍କ ଫଟୋ ସେମାନଙ୍କ ଅଜାଣତରେ ବେଆଇନ ଭାବେ ସୋସିଆଲ ମିଡିଆରୁ ସଂଗ୍ରହ କରାଯାଇ ଅପ୍‌ଲୋଡ୍‌ କରାଯାଉଥିଲା। ପରେ ତାହାକୁ ନିଲାମ ପାଇଁ ବିଜ୍ଞାପନ ସହ ଅନେକେ ସମ୍ପୃକ୍ତ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ବୁଲ୍ଲି ବାଈ ଘଟଣାରେ ଏ ପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ବୁଲ୍ଲି ବାଈ ନିର୍ମାତା ନୀରଜ ବିଷ୍ଣୋଇଙ୍କୁ ପଚରାଉଚରା ପରେ ପୋଲିସ ଓମ୍‌ ଠାକୁରଙ୍କୁ ଗିରଫ କରିଛି।

Share