ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ଅଞ୍ଜଳି ହିଟ୍ ଆଣ୍ଡ ରନ୍ ମାମଲାରେ ୧୭ ଦିନ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏବେ ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ରେ ଆଇପିସିର ୩୦୨ ଅର୍ଥାତ ହତ୍ୟା ଧାରା ଯୋଡ଼ିଛି। ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୪ ଲାଗୁ କରାଯାଇଥିଲା। ହେଲେ ତଦନ୍ତ ପରେ ଏଥିରେ ପରିବର୍ତ୍ତନ କରାଯାଇଛି।
କହିରଖୁଛୁ, ନୂଆ ବର୍ଷ ରାତିରେ ସୁଲତାନପୁରୀ ଅଞ୍ଚଳରେ କାର୍ରେ ଆସୁଥିବା କିଛି ଯୁବକ ସ୍କୁଟିରେ ଆସୁଥିବା ଅଞ୍ଜଳିଙ୍କୁ ଧକ୍କା ଦେଇଥିଲେ। ଏହାପରେ ଯୁବତୀଙ୍କୁ ଗାଡ଼ିରେ ୧୩କିମି ଘୋଷାଡ଼ି ନେଇଥିଲେ। ଫଳରେ ଅଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜାନୁୟାରୀ ୧ରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା(୨୭୯,୩୦୪ଏ,୩୦୪, ୧୨୦ବି/୩୪)ରେ ମାମଲା ରୁଜୁ ହୋଇଥିଲା। ପୋଲିସ ଏବେ ଧାରା ୩୦୪ ସ୍ଥାନରେ ୩୦୨ ଯୋଡ଼ିଛି। ଏଥିସହ ତଦନ୍ତ ଜାରି ରଖିଛି।