ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ। ବର୍ତ୍ତମାନ ସ୍କୁଲରେ ନାମଲେଖା ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଅଫିସ ଖୋଲା ରହିବ। ସେହିପରି ଗ୍ରୀଷ୍ମଛୁଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ପୂରା ଗ୍ରୀଷ୍ମଛୁଟିରେ ଶିକ୍ଷକ, ଜୁନିୟର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ। ସ୍କୁଲରେ ରୋଷ୍ଟର ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସ୍କୁଲର ପରିମଳ ଏବଂ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ବିଭାଗର ଏକାଡେମିକ୍‌ କ୍ୟାଲେଣ୍ଡର ୨୦୨୪-୨୫ରେ ମେ ୬ରୁ ଜୁନ୍‌ ୧୭ ଗ୍ରୀଷ୍ମଛୁଟି ରହିଥିଲା। ହେଲେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି।

Share