ବ୍ରହ୍ମପୁର ଅଫିସ,୧୩।୧୨: ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ତାଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ବିବାଦ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତ ୧୦ ତାରିଖରୁ ତପସ୍ବିନୀଙ୍କୁ ଛାଡି ସୁମିତ କେଉଁଆଡେ ଚାଲି ଯାଇଛନ୍ତି। ଏକାକୀ ନିଜକୁ ଅସୁରକ୍ଷିତ ମନେ କରି ତପସ୍ବିନୀ ଏନେଇ ଆସ୍କା ଥାନା ଅଧିକାରୀଙ୍କୁ ରବିବାର ଜଣାଇଥିଲେ। ହେଲେ ସେ ପୋଲିସ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ଅନ୍ୟପଟେ ବ୍ରହ୍ମପୁର ପରିବାର ଅଦାଲତରେ ସୋମବାର ଉଭୟ ଦମ୍ପତିଙ୍କୁ ହାଜର ହେବାର ତାରିଖ ଧାର୍ଯ୍ୟ ହୋଇଥିଲା। ଏଣୁ ତପସ୍ବିନୀ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଡାକ୍ତର ସୁମିତ ଅନୁପସ୍ଥିତ ଥିଲେ। ପରେ ସେ ତାଙ୍କ ଓକିଲଙ୍କ ସହ ଏସ୍ଡ଼ିଜେଏମ୍ଙ୍କ କୋର୍ଟକୁ ଯାଇଥିଲେ। ସୁମିତ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କୁ କିଛି ନ ଜଣାଇ, ଏକାକୀ ଛାଡି କେଉଁଆଡେ ଚାଲି ଯାଇଛନ୍ତି ବୋଲି ତପସ୍ବିନୀଙ୍କ ଓକିଲ ଏସ୍ଡ଼ିଜେଏମ୍ଙ୍କ କୋର୍ଟରେ ଏକ ପିଟିଶନ ଦାଖଲ କରି ଥିବା ତାଙ୍କ ଓକିଲ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି। ପରେ ତପସ୍ବିିନୀ ଆସ୍କା ଅତିଥି ଭବନ ଫେରି ଯାଇଥିବା ତାଙ୍କ ଓକିଲ କହିଛନ୍ତି। ଅନ୍ୟପଟେ ଗତ ୧୦ ତାରିଖରେ ଡାକ୍ତର ସୁମିତ ୪ଦିନ ଛୁଟି ଯାଇଥିବା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଥିଲେ।