Categories: ଖେଳ

ଆର୍ଥିକ ସଙ୍କଟରେ ଦେଶର ନମ୍ବର-୧ ଟେନିସ ଖେଳାଳି: କହିଲେ, ମୋ ଆକାଉଣ୍ଟରେ ଏବେ ମାତ୍ର ୮୦ ହଜାର ଟଙ୍କା ଅଛି

ନୂଆଦିଲ୍ଲୀ,୨୧।୯: ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ଏକଥା ନିଜେ ପ୍ରକାଶ କରିଛନ୍ତି। ଦେଶର ନମ୍ବର-୧ ଟେନିସ ଖେଳାଳି ସୁମିତ ଏଟିପି ଟୁର୍‌ ଖେଳିବା ପାଇଁ ୧ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୮୦,୦୦୦ ଟଙ୍କା ବାକି ଅଛି। ସୁମିତଙ୍କୁ ତାଙ୍କ ବନ୍ଧୁ ସୋମଦେ ବର୍ମନ ଏବଂ ଖ୍ରୀଷ୍ଟୋଫର୍‌ ମାର୍କିସ ଚଳିତ ବର୍ଷ ପ୍ରାରମ୍ଭରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ, କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାପ୍ତ ନୁହେଁ।
ସୁମିତ ନାଗଲ ଗତ କିଛି ବର୍ଷ ଧରି ଜର୍ମାନୀର ନାନସେଲ ଟେନିସ ଏକାଡେମୀରେ ଟେନିସ ଅଭ୍ୟାସ କରୁଥିଲେ। ଆର୍ଥିକ ପ୍ରତିବନ୍ଧକ ହେତୁ ସେ ଆଉ ଏଠାରେ ଅଭ୍ୟାସ କରିବାକୁ ସକ୍ଷମ ନୁହଁନ୍ତି। ୨୦ ସେପ୍ଟେମ୍ବରରେ ଗଣମାଧ୍ୟମ ଆଗରେ ସୁମିତ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ।
ସୁମିତ କହିଛନ୍ତି ଯେ, ବର୍ତ୍ତମାନ ମୋ ବ୍ୟାଙ୍କ ଆକାଉଣ୍ଟରେ ୮୦ ହଜାର ଟଙ୍କା ଅଛି। ମୋର କୌଣସି ବଡ଼ ପ୍ରାୟୋଜକ ନାହିଁ। ମୁଁ ଆଇଓସିଏଲ୍‌ରୁ ମାସିକ ଦରମା ପାଇଥାଏ, କିନ୍ତୁ ମୋର କୌଣସି ପ୍ରମୁଖ ଅର୍ଥ ଉତ୍ସ ନାହିଁ।
୨୦୨୩ରେ ସୁମିତ ନାଗଲ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଟେନିସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ୬୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୟୁଏସ ଓପନରେ ସବୁଠାରୁ ବଡ ପୁରସ୍କାର ରାଶି ପାଇଥିଲେ। ଏଠାରେ ସେ ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟରୁ ବାଦ ବଡିଥିଲେ। ଏଥିରେ ନାଗଲଙ୍କୁ ପୁରସ୍କାର ରାଶି ଭାବରେ ପ୍ରାୟ ୧୮ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କର ରୋଜଗାର ଏବଂ ଖର୍ଚ୍ଚ ବିଷୟରେ ନାଗଲ କହିଛନ୍ତି ଯେ ମୁଁ ଯାହା ରୋଜଗାର କରୁଛି, ମୁଁ ଏହାକୁ ଖର୍ଚ୍ଚ କରୁଛି। ମୋର ବାର୍ଷିକ ଖର୍ଚ୍ଚ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ। ଗତ କିଛି ବର୍ଷ ମଧ୍ୟରେ ମୁଁ ଦେଶର ଏକ ନମ୍ବର ଟେନିସ ଖେଳାଳି ଥିଲି କିନ୍ତୁ ଏହା ସତ୍ତ୍ୱେ ମୁଁ ସେହି ସ୍ତରର ସମର୍ଥନ ପାଇପାରୁ ନାହିଁ। ମୁଁ ଭାବୁଛି ଆଘାତ ହେତୁ ଯେତେବେଳେ ମୋର ର଼୍ୟାଙ୍କିଙ୍ଗ ଖସିଗଲା, ମୋତେ ସାହାଯ୍ୟ କରିବାକୁ କେହି ଉପଯୁକ୍ତ ମନେ କଲେ ନାହିଁ।

Share