Categories: ଖେଳ

ଟାଇଟଲ ବଜାୟ ରଖିଲେ ସୁମିତ

କୋବ୍‌ (ଜାପାନ), ୨୨ା୫ : ଭାରତର ସୁମିତ ଅଣ୍ଟିଲ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ତାଙ୍କ ଏଫ୍‌୬୪ ଜାଭେଲିନ୍‌ ଥ୍ରୋ ବିଶ୍ୱ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଥାଙ୍ଗାଭେଲୁ ମାରିୟାପ୍ପାନ ଓ ଏକତା ଭ୍ୟାନ ଯଥାକ୍ରମେ ହାଇଜମ୍ପ ଓ କ୍ଲବ ଥ୍ରୋ ଇଭେଣ୍ଟରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିପାରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ଏବଂ ୨୦୨୩ ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିବା ଅଣ୍ଟିଲ ୬୯.୫୦ ମିଟର ଜାଭେଲିନ୍‌ ଫିଙ୍ଗି ପୋଡିୟମ ଶୀର୍ଷରେ ରହିଥିଲେ। ସମାନ ଇଭେଣ୍ଟରେ ଭାରତର ସନ୍ଦୀପ ୬୦.୪୧ ମିଟର ଥ୍ରୋ ସହ ବ୍ରୋଞ୍ଜ ପଦକ ପାଇଥିଲେ। ଟୋକିଓ ପାରାଲିମ୍ପିକ୍ସ ରୌପ୍ୟ ବିଜେତା ଥାଙ୍ଗାଭେଲୁ ମାରିୟାପ୍ପାନ ଚାମ୍ପିୟନଶିପ୍‌ ରେକର୍ଡ ୧.୮୮ମିଟର ସହ ଟି୬୩ ହାଇଜମ୍ପରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ଏକତା ଭ୍ୟାନ୍‌ ମହିଳା ଏଫ୍‌୫୧କ୍ଲବ ଥ୍ରୋ ପ୍ରତିଯୋଗିତାରେ ସିଜନର ଶ୍ରେଷ୍ଠ ଥ୍ରୋ ୨୦.୨୧ ମିଟର ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସମାନ ଇଭେଣ୍ଟରେ ଅନ୍ୟ ଜଣେ ଭାରତୀୟ କାଶିଷ ଲାକ୍ରା ୧୪.୫୬ ମିଟର ପ୍ରୟାସ ସହ ରୌପ୍ୟ ଲାଭ କରିଛନ୍ତି। ଭାରତ ୫ମ ଦିବସରେ ୫ ପଦକ ହାସଲ କରିବା ଦ୍ୱାରା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପଦକ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମ ସ୍ଥାନରେ ରହିଥିବା ଚାଇନା ୧୫ ସ୍ବର୍ଣ୍ଣ, ୧୩ ରୌପ୍ୟ ଓ ୧୩ ବ୍ରୋଞ୍ଜ ଜିତିଥିବା ବେଳେ ବ୍ରାଜିଲ ୧୪ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ପାଇଛି। ଅନ୍ୟପକ୍ଷରେ ଭାରତ ୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ୧୦ ପଦକ ହାସଲ କରିପାରିଛି।

Share