ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍ଲର ସୁମିତ ମଲିକ। ସେ ଦଣ୍ଡର ଅବଧିକୁ ହ୍ରାସ କରିବା ଲାଗି ଚାହୁଛନ୍ତି, ଯାହାଫଳରେ ଆସନ୍ତା ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ତାଙ୍କ ଟାଇଟଲ ବଜାୟ ରଖିବା ଲାଗି ଚେଷ୍ଟା କରିବେ। ୨୦୧୮ ରାଜ୍ୟଗୋଷ୍ଠ୍ରୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ମଲିକଙ୍କ ବି’ ସାମ୍ପଲ ମଧ୍ୟ ଏକ ନିଷିଦ୍ଧ ଷ୍ଟିମୁଲାଣ୍ଟ ପାଇଁ ପଜିଟିଭ ଆସିଥିଲା। ଖେଳର ବିଶ୍ୱ ପରିଚାଳନା ପରିଷଦ ୟୁନାଇଟେଡ ଓ୍ବାଲର୍ଡ ରେସ୍ଲିଂ (ୟୁଡବ୍ଲ୍ୟୁଡବ୍ଲୁୁୃ) ଶୁକ୍ରବାର ତାଙ୍କୁ ୨ ବର୍ଷ ବାସନ୍ଦ କରିଛି। ୨୮ ବର୍ଷୀୟ ଏହି ରେସ୍ଲର ୧୨୫ କେଜି କାଟେଗୋରୀରେ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତାଙ୍କ ଶରୀରରେ ଠାବ କରାଯାଇଥିବା ଦ୍ରବ୍ୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ହେଲେ ଠକିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଦଣ୍ଡକୁ ୬ ମାସ ହ୍ରାସ କରିବା ଲାଗି ସେ ୟୁଡବ୍ଲ୍ୟୁଡବ୍ଲ୍ୟୁ ନିକଟରେ ଆବେଦନ କରିବେ ବୋଲି କହିଛନ୍ତି। ରେସ୍ଲରଙ୍କ ଜଣେ ନିକଟ ସମ୍ପର୍କୀୟ କହିଛନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସପ୍ଲିମେଣ୍ଟ ପରୀକ୍ଷା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ପଠାଇଛନ୍ତି। ମଲିକ ଜାଣତରେ ଅବା ଅଜାଣତରେ ନିଷିଦ୍ଧ ଦ୍ରବ୍ୟ ବ୍ୟବହାର କରିଛନ୍ତି ଏଥିରୁ ସ୍ପଷ୍ଟ ହୋଇଯିବ। ରେସଲର ଜଣକ ନିଜେ କରୋନାରେ ପୀଡ଼ିତ ହୋଇଥିବା ସନ୍ଦେହ କରି ଏପ୍ରିଲରେ କିଛି ଔଷଧ ବ୍ୟବହାର କରିଥିଲେ। ହୁଏତ ସେ ସମୟରେ ତାଙ୍କ ଶରୀରକୁ ନିଷିଦ୍ଧ ଷ୍ଟିମୁଲାଣ୍ଟ ଚାଲିଯାଇ ପାରିଥାଏ। ମଲିକଙ୍କ ଏ’ ସାମ୍ପୁଲରେ ଦେଖାଯାଇଥିବା ଦ୍ରବ୍ୟର ମାତ୍ରା ଅତ୍ୟନ୍ତ ନଗଣ୍ୟ ଥିଲା। ଯାହାଫଳରେ ବି’ ସାମ୍ପଲ ପରୀକ୍ଷା ପାଇଁ ନିବେଦନ କରାଯାଇଥିଲା ବୋଲି ମଲିକଙ୍କ ସମ୍ପର୍କୀୟ ଜଣକ କହିଛନ୍ତି।