ପାଲଲହଡ଼ା, ୬।୯(ଡି.ଏନ୍.ଏ.): ମା’ବାପା ବଞ୍ଚତ୍ଥିଲେ ଅଜାଡ଼ି ଦେଇଥାଆନ୍ତେ ସ୍ନେହ ସରାଗ। ରାତି ପାହିବା ବେଳକୁ ପେଟକୁ ଚିହ୍ନି ଯୋଗାଇ ଦେଇଥାଆନ୍ତେ ଖାଇବା। ଯେନତେନ କରି ନିଜେ ମୁଣ୍ଡାଇ ଥାଆନ୍ତେ ଘର ଜଞ୍ଜାଳ। ହେଲେ ୧୭ ବର୍ଷୀୟା ସୁମିତ୍ରା କୁଙ୍କାଲଙ୍କ ପାଇଁ ଏସବୁ ପାଲଟିଛି ସ୍ବପ୍ନ। କାରଣ ୪ ବର୍ଷ ମଧ୍ୟରେ ମା’ବାପା ଆରପାରିକୁ ଚାଲିଯିବା ପରେ ଏବେ ତାଙ୍କ କଅଁଳ କାନ୍ଧ ବୋହୁଛି ପରିବାରର ବୋଝ। ୪ ଭଉଣୀଭାଇଙ୍କ ସ୍ବପ୍ନ ପୂରଣ କରିବା ପାଇଁ ମରିଯାଇଛି କଲେଜ ଶିକ୍ଷାର ଇଚ୍ଛା। ମୂଲମଜୁରି ଖଟିଲେ ଚୁଲି ଜଳୁଛି। କଳ ବଳ କୌଶଳ ଲଗାଇ ଏଭଳି ଦୁର୍ଦ୍ଦିନରୁ ବାହାରିବାକୁ ଅହରହ ଉଦ୍ୟମ ଚଳାଇଥିଲେ ହେଁ ସରୁନି ସୁମିତ୍ରାଙ୍କ ସଂଘର୍ଷ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବତିସୁଆଁ ପଞ୍ଚାୟତ ବାଲିମ ସୋଲଡା ଗ୍ରାମରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ।
ଜୀବନ ସଂଘର୍ଷର କରୁଣ କାହାଣୀ ବଖାଣି ସୁମିତ୍ରା କହିଛନ୍ତି, ୪ ବର୍ଷ ତଳେ ବାପା ପାଗାନ କୁଙ୍କାଲଙ୍କ ହଠାତ୍ ମୃତ୍ୟୁ ହୋଇଗଲା। ଏହାର ୨ ବର୍ଷ ପରେ ମା’ ଗବାଇ ମଧ୍ୟ ଚାଲିଗଲେ ଆରପାରିକୁ। ଅଭାବ ଅନଟନ ମଧ୍ୟରେ ମାଟ୍ରିକ ପାସ୍ କଲେ। ଉଚ୍ଚ ଶିକ୍ଷିତ ହୋଇ ଭଲ ଚାକିରି କରିବା ଆଶାରେ ପାଲଲହଡ଼ା ମାଲ୍ୟଗିରି କଲେଜରେ ନାମ ମଧ୍ୟ ଲେଖାଇଥିଲେ। ହେଲେ ଆର୍ଥିକ ସଙ୍କଟ ଏବଂ ପରିବାର ଚଳାଇବାକୁ କେହି ନ ଥିବାରୁ ବାଧ୍ୟ ହୋଇ ପାଠପଢ଼ାରେ ଡୋରି ବାନ୍ଧିଲେ। ଏବେ ମୂଲମଜୁରି କଲେ ଦି ଓଳି ଦାନା ଯୋଗାଡ଼ ହୋଇପାରୁଛି। ତଥାପି ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇ ଭଉଣୀଭାଇଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି ସେ। ଭଉଣୀ ଫୁଲମୟୀ (୧୪), ରାନ୍ଦାଏ (୧୧) କମ୍ପରକେଳା ସେବାଶ୍ରମରେ ପଢୁଥିଲେ। ତେବେ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁ ବିଦ୍ୟାଳୟ ବନ୍ଦ ଥିବାରୁ ସେମାନେ ଘରେ ଅଛନ୍ତି। ଭାଇ କାହ୍ନୁ (୮) ପଳାସବାହାଲ ସେବାଶ୍ରମରେ ପଢୁଥିବାବେଳେ ମା’ଙ୍କ ମୃତ୍ୟୁ ପରେ ସେ ପାଠପଢ଼ା ଛାଡ଼ି ଦେଇଛନ୍ତି। ସେହିପରି ସାନଭାଇ ଗାର୍ଦି ମାତ୍ର ୬ ବର୍ଷର ହୋଇଥିବାରୁ ତା’ର ଲାଳନପାଳନ କଥା ନିଜକୁ ବୁଝିବାକୁ ପଡୁଥିବା ସୁମିତ୍ରା କହିଛନ୍ତି।
ସୁମିତ୍ରାଙ୍କ ପରିବାରକୁ ମିଳୁଥିବା ସରକାରୀ ସହାୟତା ଟଙ୍କିକିଆ ଚାଉଳରେ ସୀମିତ। ତାହା ବି ମାତ୍ର ୪ ଜଣଙ୍କୁ ମିଳୁଛି। ଗାର୍ଦିଙ୍କୁ ଏଯାଏ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ଝାଟିମାଟି ଘରେ ବଡ଼କଷ୍ଟରେ ରହୁଥିବାବେଳେ ମା’ବାପା ଛେଉଣ୍ଡ ଆଦିବାସୀ ସମ୍ପ୍ରଦାୟର ଏହି ପରିବାରକୁ ପ୍ରଶାସନ ପକ୍ଷରୁ ଆବାସ କି ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଝାଟିମାଟି ଘରେ ବିନା ବିଦ୍ୟୁତ୍ ସଂଯୋଗରେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ୫ ଭଉଣୀଭାଇ। ଏଭଳି ଅନାଥ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଏଭଳି ଘଟଣା ସ୍ପର୍ଶକାତର। ଏହାର ତଦନ୍ତ କରାଯିବ। ସମ୍ପୃକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ।