Categories: ଜାତୀୟ

ଗ୍ରୀଷ୍ମ ପ୍ରବାହ: ଦେଶର ୯୦ ପ୍ରତିଶତ ଅଞ୍ଚଳ ବିପଦପୂର୍ଣ୍ଣ, ୫୦ ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୦।୪ : ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବିପଜ୍ଜନକ ହୋଇପଡୁଛି। ଦେଶର ୯୦ ପ୍ରତିଶତରୁ ଅଧିକ ଏବଂ ସମଗ୍ର ଦିଲ୍ଲୀ ପ୍ରଭାବର ବିପଦପୂର୍ଣ୍ଣ ଜୋନରେ ରହିଛି। ଏକ ନୂତନ ଅଧ୍ୟୟନରେ ଏହି ବିଷୟ ସାମ୍ନାକୁ ଆସିଛି।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରମିତ ଦେବନାଥ ଏବଂ ତାଙ୍କ ସହକର୍ମୀମାନେ ଏହି ଅଧ୍ୟୟନ କରିଛନ୍ତି। ଅଧ୍ୟୟନରେ ଦର୍ଶାଯାଇଛି ଯେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ‘ହିଟ ୱେଭ’ ଭାରତର ପ୍ରଗତିରେ ବାଧା ସୃଷ୍ଟି କରିଛି।

ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ଏମ ରାଜୀବ, ବୈଜ୍ଞାନିକ କମଲଜିତ ରୟ, ଏସଏସ ରୟ, ଆର.କେ ଗିରି ଏବଂ ଏପି ଡିମରିଙ୍କ ଦ୍ୱାରା ଲେଖାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଗତ ୫୦ ବର୍ଷ ମଧ୍ୟରେ ଭାରତରେ ଗ୍ରୀଷ୍ମ ପ୍ରବାହ ଯୋଗ୧୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ରିପୋର୍ଟ ୨୦୨୧ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଦର୍ଶାଯାଇଛି ୧୯୭୧ ର ୨୦୧୯ ମଧ୍ୟରେ ଦେଶରେ ୭୦୬ ଥର ଗ୍ରୀଷ୍ମ ପ୍ରବାହ ଘଟଣା ଘଟିଛି।

୨୦୨୩ ବର୍ଷରେ ୧୯୦୧ ପରଠାରୁ ଫେବୃଆରୀରେ ଅଧିକ ତାତି ଅନୁଭବ ହୋଇଥିଲା। ତେବେ ମାର୍ଚ୍ଚରେ ସ୍ବାଭାବିକଠାରୁ ଅଧିକ ବର୍ଷାହୋଇଥିଲା। ଫଳରେ ତାପମାତ୍ରାକୁ ସ୍ବାଭାବିକ ରହିଥିଲା। ୨୦୨୨ ବର୍ଷରେ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିବାବେଳେ ୧୨୧ ବର୍ଷ ମଧ୍ୟରେ ଏହା ତୃତୀୟ ଶୁଷ୍କ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ୭୫ ପ୍ରତିଶତ କର୍ମଚାରୀ ଅର୍ଥାତ ପ୍ରାୟ ୩୮ କୋଟି ଲୋକ ଉତ୍ତାପ କାରଣରୁ ମାନସିକ ଚାପରେ ରହିଛନ୍ତି।

Share