ପିଲାଙ୍କ ପାଇଁ ଗ୍ରୀଷ୍ମାବକାଶ ହୋମ୍‌ଓ୍ବାର୍କ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାରଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା କରିଛନ୍ତି। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ। ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶୁକ୍ରବାର ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ପ୍ରଥମ ଅଭିଭାବକ- ଶିକ୍ଷକ -ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ବୈଠକ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ସକାଳ ୬.୩୦ରୁ ପୂର୍ବାହ୍ନ ୧୦.୩୦ଟା ମଧ୍ୟରେ ଏହି ବୈଠକ ହେବ। ଏଥିରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟାମାନେ ଯୋଗଦେବେ। ଚଳିତ ବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ପାଠପଢ଼ାରେ ନିୟୋଜିତ ରଖିବା ପାଇଁ ପ୍ରଥମଥର ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତରର ପିଲାଙ୍କ ନିମନ୍ତେ ‘ଅବକାଶ ଗୃହକାର୍ଯ୍ୟ’ର ବନ୍ଦୋବସ୍ତ କରାଯାଇଛି। ଶୁକ୍ରବାର ହେବାକୁ ଥିବା ବୈଠକରେ ଏହା ଅଭିଭାବକମାନଙ୍କୁ ପ୍ରଦାନ କରାଯିବ। ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କ ଅଭିଭାବକମାନଙ୍କର ସହାୟତାରେ ଏହି ଗୃହକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ। ଅଭିଭାବକମାନେ ପିଲାଙ୍କୁ ଏହି ‘ଅବକାଶ ଗୃହ କାର୍ଯ୍ୟ’ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ। ପିଲାମାନେ ଖରାଛୁଟି ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇରହିବେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଜିଲାସ୍ତରରେ ହେଲ୍ପ ଡେସ୍କ ତଥା କଲ ସେଣ୍ଟର ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କ ତଥା କଲ୍‌ ସେଣ୍ଟରଗୁଡ଼ିକ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ଦ୍ବାରା ପରିଚାଳିତ ହେବ। ଛାତ୍ରୀଛାତ୍ରମାନେ ‘ଅବକାଶ ଗୃହ କାର୍ଯ୍ୟ’ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ସମ୍ପୃକ୍ତ ହେଲ୍ପ ଡେସ୍କକୁ ଯୋଗାଯୋଗ କରି ସହାୟତା ନେଇପାରିବେ। ସେମାନଙ୍କର ସମସ୍ତ ସମସ୍ୟାକୁ ଦକ୍ଷ ଓ ବିଷୟଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକମାନେ ସମାଧାନ କରିବେ।

Share