Advertisement

‘ସମର ତରଙ୍ଗ’ ଦିଲ୍ଲୀ ନେବାକୁ ଉଦ୍ୟମ ହେବ

ଢେଙ୍କାନାଳ ଅଫିସ, ୧୫ା୪- ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳା ପରିଷଦ ପକ୍ଷରୁ ଶୁକ୍ରବାର ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଅବସରରେ ଗୀତିନାଟ୍ୟ ସମର ତରଙ୍ଗ ସ୍ଥାନୀୟ ମିନି ଷ୍ଟାଡିୟମରେ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ, କବି ବ୍ରଜନାଥଙ୍କ କୃତି ସମର ତରଙ୍ଗ ଢେଙ୍କାନାଳ ମାଟିକୁ ମହାନ୍‌ କରିଛି। ଏହି ଗିତିନାଟ୍ୟରେ ଢେଙ୍କାନାଳର ଇତିହାସ ପ୍ରତିପାଦିତ ହୋଇଛି। ଏହି ଗୀତିନାଟ୍ୟକୁ ଦିଲ୍ଲୀରେ ପରିବେଷଣ କରିବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ କରାଯିବ। ବିଶିଷ୍ଟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଯୋଗଦେଇ କହିଲେ ଯେ, ସମର ତରଙ୍ଗ ଢେଙ୍କାନାଳର ଐତିହ୍ୟ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୁବପିଢୀ ଏଭଳି ନାଟକ ଦେଖିଲେ ଆମର ଐତିହ୍ୟ ଅଧିକ ମହାନ୍‌ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ସଭାପତିତ୍ୱ କରି ଜିଲାପାଳ ସରୋଜ କୁମାର ସେଠୀ ଆଗାମୀ ଦିନରେ ଶହୀଦ ବାଜି ରାଉତ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ବୀର ବୈଷ୍ଣବ ପଟ୍ଟନାୟକଙ୍କ ସଂଗ୍ରାମ କଥାକୁ ନାଟକ ମାଧ୍ୟମରେ ମଞ୍ଚସ୍ଥ କରିବାକୁ ନାଟ୍ୟ ଅନୁଷ୍ଠାନମାନଙ୍କୁ ଅନୁରୋଧ କରିଥିଲେ। କଳା ପରିଷଦ ସଭାପତି ଦିଲୀଶ୍ୱର ମହାରଣା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କବି ଅବନୀ ମିଶ୍ରଙ୍କ ରଚିତ ଶ୍ରୀହନୁମାନଙ୍କ ଭଜନ ଲୋକାର୍ପିତ ହୋଇଥିଲା। ପରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଗୀତିନାଟ୍ୟ ସମର ତରଙ୍ଗ ପରିବେଷଣ କରାଯାଇଥିଲା। ଅବନୀ ମିଶ୍ର ଏହାର ଗୀତିନାଟ୍ୟ ରୂପାନ୍ତର କରିଥିଲେ। ଶତ୍ରୁଘ୍ନ ମାଟି ନିର୍ଦ୍ଦେଶନା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share