ଭାରତରେ ବଢ଼ିବ ଗ୍ରୀଷ୍ମପ୍ରବାହ

ଓ୍ବାଶିଂଟନ୍‌,୮।୧୨: ଗତ ୧୦ ବର୍ଷ ଧରି ଭାରତରେ ଗ୍ରୀଷ୍ମପ୍ରବାହ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ଆସନ୍ତା ଦିନରେ ଭାରତରେ ଏହି ଗ୍ରୀଷ୍ମପ୍ରବାହ ଆହୁରି ବଢ଼ିବ ଏବଂ ଲୋକଙ୍କ ଜୀବନଯାପନ କଷ୍ଟକର ହୋଇପଡ଼ିବ ବୋଲି ଓ୍ବାଲର୍‌ଡ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରକାଶିତ ରିପୋର୍ଟର ଶୀର୍ଷକ ରହିଛି, ‘କ୍ଲାଇମେଟ୍‌ ଇନ୍‌ଭେଷ୍ଟମେଣ୍ଟ ଅପଚ୍ୟୁନିଟିଜ୍‌ ଇନ୍‌ ଇଣ୍ଡିଆଜ୍‌ କୁଲିଙ୍ଗ୍‌ ସେକ୍ଟର’।

କେରଳ ସରକାରଙ୍କ ସହଯୋଗୀତାରେ ଓ୍ବାଲର୍‌ଡ ବ୍ୟାଙ୍କ ପକ୍ଷରୁ ଆୟୋଜିତ ‘ଇଣ୍ଡିଆ କ୍ଲାଇମେଟ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ପାର୍ଟନର୍ସ ମିଟ୍‌’ରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏପ୍ରିଲରେ ରାଜଧାନୀ ଦିଲ୍ଲୀର ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ମାର୍ଚ୍ଚମାସରେ ତାପମାତ୍ରାରେ ହଠାତ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଭାରତରେ ଗ୍ରୀଷ୍ମପ୍ରବାହ ବଢ଼ିବାକୁଥିବାବେଳେ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେବାର ଆଶଙ୍କା ଥିବା ରିପୋର୍ଟରେ କୁହାଯାଇଛି।

ସାଧାରଣ ଲୋକେ ବିନା ବାୟୁରେ ତିନି ମିନିଟ, ବିନା ପାଣିରେ ତିନି ଦିନ ଓ ବିନା ଖାଦ୍ୟରେ ତିନି ସପ୍ତାହ କାଟିବାକୁ ସକ୍ଷମ ହୋଇଥିବାବେଳେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁ ଏହା ଅସମ୍ଭବ ହୋଇଯିବ। ଦକ୍ଷିଣ ଏସିଆରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ, ଯାହାର ପ୍ରଭାବ ଭାରତରେ ସର୍ବାଧିକ ଦେଖିବାକୁ ମିଳିବ। ୨୦୩୬-୬୫ ବେଳକୁ ଭାରତରେ ହିଟ୍‌ ଓ୍ବେଭ୍‌ର ମାତ୍ରା ୨୫ ଗୁଣା ବୃଦ୍ଧି ପାଇବ ବୋଲି ୨୦୨୧ ଜି୨୦ ସମ୍ମିଳନୀରେ କୁହାଯାଇଥିଲା।

ଇଣ୍ଟର -ଗଭର୍ନମେଣ୍ଟ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ (ଆଇପିସିସି) ମଧ୍ୟ ଏ ନେଇ ଭାରତକୁ ସତର୍କ କରିଥିଲା। ବର୍ତ୍ତମାନ ସମୟରେ ଭାରତର ୭୫% ଲୋକ (୩୮୦ ନିୟୁତ) ଖରାରେ କାମ କରୁଛନ୍ତି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି କାରଣରୁ ବିଶ୍ୱରେ ୮୦ ନିୟୁତ ଲୋକ ରୋଜଗାରର ମାଧ୍ୟମ ହରାଇଥିବାବେଳେ ସେଥିମଧ୍ୟରୁ ୩୪ ନିୟୁତ ଲୋକ କେବଳ ଭାରତର। ଏହାଦ୍ୱାରା ବର୍ଷକୁ ୧୦୧ ବିଲିୟନ୍‌ ଘଣ୍ଟା ନଷ୍ଟ ହେବାର ଆଶଙ୍କା ରହିଛି। ହିଟ୍‌ ଓ୍ବେଭ୍‌ର ପ୍ରଭାବ ଖାଦ୍ୟ, ଶସ୍ୟଉତ୍ପାଦନ କ୍ଷେତ୍ରରେ ପଡ଼ିବା ଆଶଙ୍କା ରହିଛି।

Share