Posted inଫୁରସତ

୫ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ। ରାଜାଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ ଥାଏ ମଙ୍ଗଳ କାମନା। ସେଥିପାଇଁ ଦାରୁଦିଅଁଙ୍କ ନୀତିକାନ୍ତି, ଭୋଗ, ବେଶ ସବୁକିଛି ମହିମାମଣ୍ଡିତ। ପୁଣି ବେଶ ମଧ୍ୟରେ ଅନନ୍ୟ ବିଶ୍ୱନିୟନ୍ତାଙ୍କ ସୁନାବେଶ। ବର୍ଷକୁ ରତ୍ନ ସିଂହାସନରେ ୪ଥର ଆଉ ଥରେ ଭାଇ ଭଉଣୀଙ୍କ ସହ ରଥରେ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୁଅନ୍ତି କାଳିଆ ଠାକୁର…

ଅଳଙ୍କାର ପାଇଁ ରତ୍ନଦାନ: ଶ୍ରୀବ୍ରହ୍ମଦାରୁ ଉପାସନାରେ ଭକ୍ତିର ସହ ସମର୍ପିତ ହୋଇଥାଏ ବହୁମୂଲ୍ୟ ଅଳଙ୍କାର। ଏହି ଅଳଙ୍କାର ମୁଖ୍ୟତଃ ଦୁଇ ପ୍ରକାର- ରତ୍ନାଳଙ୍କାର ଓ ପୁଷ୍ପାଳଙ୍କାର। ମହାପ୍ରଭୁଙ୍କୁ ପ୍ରୀତ କରି ଆଶୀର୍ବାଦ ଲାଭ ନିମନ୍ତେ ଉତ୍କଳର ରାଜାମାନେ ଅନେକ ରତ୍ନାଳଙ୍କାର ଦାନ କରିଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଅନଙ୍ଗଭୀମଙ୍କ ପ୍ରସଙ୍ଗରେ ତିନୋଟି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅଳଙ୍କାର ପାଇଁ ସ୍ବର୍ଣ୍ଣଦାନର ବିବରଣୀ ରହିଅଛି। ”ପ୍ରମେଶ୍ୱରଙ୍କ ତଡ଼ାଉମାନ ଖଟଣିଯୋଗାଡ଼ମାନଙ୍କୁ ମଧ୍ୟ କରି ଥୋକାଏ ସୁନା ରତନଦେବା ଏମନ୍ତ ଆମ୍ଭେ ବିଚାରିଅଛୁ। ପ୍ରମେଶ୍ୱରଙ୍କ ଅଳଙ୍କାରକୁ ସୁନା ୨ଲକ୍ଷ ପଚାଶ ହଜାର ମାଢ଼ (ଦ୍ୱିତୀୟ ପାଞ୍ଜିରେ) ଜଗନ୍ନାଥ ମହାପ୍ରଭୁଙ୍କ ଅଳଙ୍କାର ପାଇଁ ଦଶସହସ୍ର ସୁନିଆଁ ଦେଲେ।“ ଜୟବିଜୟ ଦ୍ୱାରସ୍ଥ କପିଳେନ୍ଦ୍ର ଦେବଙ୍କ ଏକ ଶିଳାଲେଖରେ ଶ୍ରୀମନ୍ଦିରକୁ ରତ୍ନତୋଢ଼ର, ଶ୍ରୀଭୁଜ ନିମନ୍ତେ ରତ୍ନ ଶଙ୍ଖଚକ୍ର, ରତ୍ନ ପଦକ, ରତ୍ନ ମୁକୁଟ, କାନଫୁଲ, ନାନା ନାଏକ ମୁଦି, କାଣିକସୂତା, ମର୍କତ ଯାଉଳି, ମର୍କତ ମୁକୁଟ, ପଦ ପଲ୍ଲବ, ନାନା ନାଏକ ବାହୁଟି, ହୀରା ମାଣିକ ବଳା, ଜାଲି ତୋଢ଼ର, କାନ୍ତି ଜରକବର, କଟି ମେଖଳା ଆଦି ଅର୍ପଣ କରିବା ବର୍ଣ୍ଣିତ ହୋଇଛି। ସେହି ଦ୍ୱାରରେ ଥିବା ପୁରୁଷୋତ୍ତମ ଦେବଙ୍କ ଏକ ଶିଳାଲେଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବା ପାଇଁ କେତେକ ମୂଲ୍ୟବାନ ଦ୍ରବ୍ୟ ସମେତ ରତ୍ନ କାନଫୁଲ, ବାହୁଟି ଆଦି ଅର୍ପଣ କରିଥିବା ବର୍ଣ୍ଣିତ ହୋଇଛି।

ମହାପ୍ରଭୁଙ୍କୁ ଅଳଙ୍କାରରେ ବିମଣ୍ଡିତ କରିବା ପାଇଁ ଭିତର ଓ ବାହାର ରତ୍ନଭଣ୍ଡାରରେ କେତେ ଯେ ଅଳଙ୍କାର ଗଚ୍ଛିତ ରହିଛି, ଏ ପର୍ଯ୍ୟନ୍ତ ତାହାର ଠିକ୍‌ ଆକଳନ କରାଯାଇ ପାରି ନାହିଁ। ସ୍ବତ୍ୱଲିପିରେ ପ୍ରାୟ ୧୪୭ ପୃଷ୍ଠା ବ୍ୟାପୀ କେତେକ ଅଳଙ୍କାରର ତାଲିକା ରହିଛି। ତନ୍ମଧ୍ୟରୁ କେତେଗୁଡ଼ିଏ କେବଳ ପତ୍ରପୁଷ୍ପ ଓ ବୀଜ ସମ୍ପର୍କିତ ଅଳଙ୍କାର। ତାହାର ନାମ ହେଲା ସୁନା ଚମ୍ପାକଳୀ ମାଳି, ସୁନା ତୁଳସୀ ପତ୍ରିଆ ମାଳି, ସୁନା ବଉଳକୋଳିଆ ମାଳି, ସୁନା ଜାମୁକୋଳିଆ ମାଳି, ସୁନା ପଦ୍ମ ମାଳି, ସୁନା କଦମ୍ବ ମାଳି, ସୁନା ସେବତୀଫୁଲ ମାଳି, ରତ୍ନଜଡ଼ିତ ବେଲପତ୍ରିଆ ମାଳି, ସୁନା ହରିଡ଼ାକଣ୍ଠି ମାଳି, ସୁନା ଅଁଳାମଞ୍ଜିଆ କଣ୍ଠି, ସୁନା ମୃଗକୋଳିଆ କଣ୍ଠି, ସୋରିଷିଆ କଣ୍ଠି, ସୁନାଦୂବ, ସୁନା କାରୁଆ ଫୁଲ ଇତ୍ୟାଦି। ତେଣୁ ମହାପ୍ରଭୁଙ୍କର ସର୍ବାଙ୍ଗକୁ ମଣ୍ଡନ କଲାଭଳି ସମସ୍ତ ପ୍ରକାରର ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ନିଃସନ୍ଦେହରେ କୁହାଯାଇପାରେ। ଆକ୍ରମଣକାରୀମାନେ ଶ୍ରୀମନ୍ଦିରକୁ ୧୮ଥର ଆକ୍ରମଣ କରି ନିଜ ଇଚ୍ଛା ମୁତାବକ ବହୁ ଦୁର୍ମୂଲ୍ୟ ଅଳଙ୍କାର ଲୁଟି ନେଇଛନ୍ତି। ତଥାପି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଅଳଙ୍କାରର ଅଭାବ ନାହିଁ। ଯେପରି ଅସୁରମାନେ ସମୁଦ୍ରରୁ ଯେତେ ରତ୍ନ ଲୁଣ୍ଠନ କଲେ ମଧ୍ୟ ସମୁଦ୍ରର ରତ୍ନାକର ନାମ ପୂର୍ବବତ୍‌ ଅକ୍ଷୁଣ୍ଣ ରହିଛି, ସେହିପରି ଯେତେ ଅଳଙ୍କାର ଲୁଣ୍ଠିତ ହେଲେ ମଧ୍ୟ ମହାପ୍ରଭୁଙ୍କର ସର୍ବାଳଙ୍କାରଯୁକ୍ତତ୍ୱ ବିଶେଷଣ ଅକ୍ଷୁଣ୍ଣ ରହିଛି।

କେଉଁ ଦିବସରେ କେଉଁ ଅଳଙ୍କାର: ବର୍ଷର ବିଭିନ୍ନ ଦିବସରେ ମହାପ୍ରଭୁ ବିଭିନ୍ନ ଅଳଙ୍କାରରେ ମଣ୍ଡିତ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି। ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରତ୍ୟହ ଶ୍ରୀଜୀଉଙ୍କର ପବିତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହୁଏ। ଏହି ଚିତ୍ତାକର୍ଷକ ବେଶରେ ଠାକୁରମାନେ ବିଭିନ୍ନ ସ୍ବର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇଥାନ୍ତି। ପ୍ରତି ବେଶରେ ଶ୍ରୀଜଗନ୍ନାଥ ୭ ମାଳି, ଶ୍ରୀବଳଭଦ୍ର ୫ ମାଳି ଓ ଦେବୀ ସୁଭଦ୍ରା ୩ ମାଳି ପରିଧାନ କରିଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ମନୋରମ ଲକ୍ଷ୍ମୀନାରାୟଣ ବେଶ (ଠିଆକିଆ ବେଶ) ଅନୁଷ୍ଠିତ ହୁଏ। ଏହି ବେଶରେ ଲାଗି ହେଉଥିବା ସୁବର୍ଣ୍ଣ ଅଳଙ୍କାର ହେଲା ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କାନ, କଦମ୍ବ ମାଳି, ହରିଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି, ସେବତୀ ମାଳି, ଚନ୍ଦ୍ରିକା, ଅଳକା, ଶ୍ରୀମୁଖପଦ୍ମ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ତିଳକ, ଘାଗଡ଼ା ମାଳି, କୁଣ୍ଡଳ, ତଡ଼ଗୀ ଓ ଏକ କ୍ଷୁଦ୍ର ଟୋପର (ଏଥିରେ ସ୍ବର୍ଣ୍ଣ କିଆ ଖଞ୍ଜାଯାଇଥାଏ)। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ରମଣୀୟ ବାଙ୍କଚୂଡ଼ ବେଶ ହୁଏ। ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସୁନାର ଲଣ୍ଡାକିରୀଟ ଶୋଭାପାଏ। ମସ୍ତକରେ ବାଙ୍କଚୂଡ଼ରେ ସୁନାର କିଆ ଓ ଚନ୍ଦ୍ରିକା ଲାଗି କରାଯାଏ। ସୁବର୍ଣ୍ଣ କୁଣ୍ଡଳ ପିନ୍ଧାଯାଏ। ବିଭିନ୍ନ ପ୍ରକାର ମାଳି ଯଥା ଘାଗଡ଼ା ମାଳି, ପଦ୍ମଫୁଲ ମାଳି ଓ କଣ୍ଠି ମାଳି ପ୍ରଭୃତି ଅଳଙ୍କାରଗୁଡ଼ିକୁ ଠାକୁରମାନେ ଧାରଣ କରିଥାନ୍ତି। ଏହି ବେଶରେ ସୁନାର ଶ୍ରୀମୁଖପଦ୍ମ ଲାଗିଥାଏ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୁବର୍ଣ୍ଣର ହସ୍ତପଦଯୁକ୍ତ ହୋଇଥାନ୍ତି ଓ ଆୟୁଧମାନ ଧାରଣ କରିଥାନ୍ତି। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ଅନୁଷ୍ଠିତ ହୁଏ ତ୍ରିବିକ୍ରମ ବେଶ (ଡାଳିକିଆ ବେଶ)। ଏହି ବେଶରେ ଠାକୁରମାନଙ୍କର ଚୂଳର ଅଗ୍ରଭାଗରେ ଥିବା ଚନ୍ଦ୍ରିକାଠାରୁ କାନ ପର୍ଯ୍ୟନ୍ତ ଉଭୟପଟେ ଗୋଟିଏ ଗୋଟିଏ ସୁନାକିଆ ତା’ ପାଖକୁ ଗୋଟିଏ ଡାଳି ଓ ତା’ ଉପରେ ପଦ୍ମ ଖଞ୍ଜାଯାଏ। ଦେବୀ ସୁଭଦ୍ରାଙ୍କ ମସ୍ତକରେ ଚୂଳ ଲାଗି କରା ନ ଯାଇ ସୁନା କିରୀଟ ଲଗାଯାଏ। ଠାକୁରମାନଙ୍କର ମୁଖର ଉପର ପାର୍ଶ୍ୱରେ ଦୁଇଟି ଲେଖାଏ ଆଡ଼ିକାନି ଲାଗି କରାଯାଇଥାଏ। ଏହି ବେଶରେ ଘାଗଡ଼ା ମାଳି, ପଦ୍ମ ମାଳି ଓ ତାବିଜ ମାଳି ପିନ୍ଧାଯାଏ। କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ (ଆଡ଼କିଆ ବେଶ) ଅନୁଷ୍ଠିତ ହୁଏ। ଏହି ବେଶରେ ଚୂଳରେ ଚନ୍ଦ୍ରିକା ନ ଲାଗି ତ୍ରିଶାଖା ଲାଗେ। ଠାକୁରମାନେ ଏହି ବେଶରେ ସୁବର୍ଣ୍ଣର ବିଭିନ୍ନ ମାଳି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରାଙ୍କ ଶିରରେ ସୁନାର କିରୀଟ ଲଗାଯାଏ। ଯେଉଁବର୍ଷ କାର୍ତ୍ତିକ ମାସରେ ପଞ୍ଚକ ପାଞ୍ଚଦିନ ନ ହୋଇ ଛଅଦିନ ପଡ଼ିଥାଏ ଅର୍ଥାତ୍‌ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚକର ଯେଉଁ ତିଥି ମଳ ରହେ, ସେହି ମଳ ତିଥିରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଠାକୁରମାନେ ମୁଖ୍ୟତଃ ସୋଲ, କନା, ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ ଦାଢି, ସୋଲର ଛୁରି, କଟାରି, ବାଘଛାଲ ଇତ୍ୟାଦି ପିନ୍ଧୁଥିଲେ ମଧ୍ୟ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଯଥା- ଶ୍ରୀଭୁଜ, ଶ୍ରୀପୟର, ବାଘନଖୀ ମାଳି, ହରିଡ଼ା ମାଳି ଓ ଆୟୁଧମାନ ଧାରଣ କରିଥାନ୍ତି।
ପ୍ରତିବର୍ଷ ମହାପ୍ରଭୁଙ୍କର ଚିତ୍ତାକର୍ଷକ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଏହି ବେଶ ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା), କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲ୍‌ଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା) ଓ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ (ରଥ ଉପରେ) ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁରମାନେ ସୁନାବେଶ ହୁଅନ୍ତି। ଏହି ଦିନ ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ପୋଷାକ ଦ୍ୱାରା ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିଥାନ୍ତି। ବିଭିନ୍ନ ପ୍ରକାର ସୁବର୍ଣ୍ଣାଳଙ୍କାରରେ ମଣ୍ଡିତ ହୋଇ ଶ୍ରୀଜୀଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ମନୋହର ସ୍ବର୍ଣ୍ଣବେଶରେ ଠାକୁରମାନେ ଧାରଣ କରୁଥିବା ସ୍ବର୍ଣ୍ଣାଳଙ୍କାରଗୁଡ଼ିକ ହେଲା- ଶ୍ରୀଭୁଜ, ଶ୍ରୀପୟର, କିରୀଟ, କାନ, ଚନ୍ଦ୍ରସୂର୍ଯ୍ୟ, ହଳ, ମୁଷଳ, ଚକ୍ର, ଚନ୍ଦ୍ରିକା, ଘାଗଡ଼ା ମାଳି, ହରିଡ଼ା ମାଳି, ବାହାଡ଼ା ମାଳି, କଦମ୍ବ ମାଳି, ତାବିଜ ମାଳି, କୁଣ୍ଡଳ, ଚିତା (ତିଳକ), ଶ୍ରୀମୁଖପଦ୍ମ, ଓଡ଼ିଆଣୀ, ଅଳକା ଓ ତଡ଼ଗୀ ପ୍ରଭୃତି। ଏଥିସହିତ ଶ୍ରୀଜନ୍ନାଥ ରୁପାର ଶଙ୍ଖ ଶ୍ରୀହସ୍ତରେ ଧାରଣ କରିଥାନ୍ତି। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ହେଉଥିବା ଚାଚେରୀ ବେଶରେ ପ୍ରଥମେ ମେକାପ ସର୍ବାଙ୍ଗ (ଚନ୍ଦନଲାଗି) ଓ ବୋଇରାଣୀ (ବସ୍ତ୍ର) ମାଧାବଳୀ ଇତ୍ୟାତି ନୂଆ ଲୁଗାମାନ ଲାଗିହୋଇ ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଯଥା (ସୁବର୍ଣ୍ଣ କୁଣ୍ଡଳ-୪, ତଡ଼ଗୀ-୨)ରେ ଭୂଷିତ କରାଯାଇଥାଏ।

ଠାକୁରଙ୍କ କେଉଁ ଅଙ୍ଗରେ କେଉଁ ଅଳଙ୍କାର
କିରୀଟ: ଠାକୁରଙ୍କ ମସ୍ତକରେ ଲାଗି ହେଉଥିବା କାରୁକାର୍ଯ୍ୟପୂର୍ଣ୍ଣ ସ୍ବର୍ଣ୍ଣ ନିର୍ମିତ ଶିରୋଭୂଷଣ।
ଅଳକା: ଶ୍ରୀମୁଖରେ ଲାଗି ହେଉଥିବା ଚୂର୍ଣ୍ଣକୁନ୍ତଳ ଭଳି ଏକ ସ୍ବର୍ଣ୍ଣ ଅଳଙ୍କାର।
କୁଣ୍ଡଳ: ସୁନାରେ ନିର୍ମିତ କର୍ଣ୍ଣାଳଙ୍କାର।
ଚନ୍ଦ୍ରିକା: ମୟୂର ଚନ୍ଦ୍ରିକା ଭଳି ଏକ ସ୍ବର୍ଣ୍ଣାଳଙ୍କାର ଯାହାକି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ କିରୀଟ ପଛପଟେ ଥିବା ଚୂଳରେ ଖଞ୍ଜା ଯାଇଥାଏ।

ଓଡ଼ିଆଣୀ: କଟିମେଖଳା। ଏହି ସ୍ବର୍ଣ୍ଣାଳଙ୍କାର ସୁନା ବେଶରେ ଠାକୁରମାନଙ୍କ କଟି ଦେଶରେ ଲାଗି ହୋଇଥାଏ।
କିଆ: ସୁନାରେ ନିର୍ମିତ କିଆପତ୍ର ସଦୃଶ ଅଳଙ୍କାର। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ବେଶରେ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ସୁନାର କିଆପତ୍ରମାନ ଠିଆ ଢଙ୍ଗରେ ସଜ୍ଜିତ ହୁଏ ବୋଲି ଏହି ବେଶକୁ ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ କୁହାଯାଏ।
ଚନ୍ଦ୍ରସୂର୍ଯ୍ୟ: ଠାକୁରଙ୍କ ଚିତା ଉପରକୁ ମଧ୍ୟଭାଗରେ ଏହି ସ୍ବର୍ଣ୍ଣାଳଙ୍କାର ଲାଗେ।
ଚିତା: ଶ୍ରୀମସ୍ତକରେ କପାଳର ଚିତା ସ୍ଥାନରେ ଲାଗି ହେଉଥିବା ଅଳଙ୍କାର। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଯଥାକ୍ରମେ ହୀରା, ନୀଳା ଓ ମାଣିକ୍ୟର ଚିତା ରହିଛି।

ଆଡ଼କାନି: ଠାକୁରମାନଙ୍କ ଶ୍ରୀମୁଖର ଦୁଇ ପାର୍ଶ୍ୱରେ ରାହୁରେଖା ଉପରେ ସ୍ବର୍ଣ୍ଣ ନିର୍ମିତ ଅଳଙ୍କାର ଆଡ଼କାନି ବନ୍ଧାଯାଏ। ମଝିରେ ଚନ୍ଦ୍ରସୂର୍ଯ୍ୟ ରହେ।
ଝୋବାଣ୍ଠି: କଟିଦେଶର ସ୍ବର୍ଣ୍ଣ ନିର୍ମିତ ଝୁମ୍ପା। ସୁନାର ଗିନା ମଧ୍ୟରୁ କିଛି ରେଶମ ସୂତା ବାହରିଥିବା ଓ ଗିନା ଉପରେ କେତୋଟି ସୁନାକଣ୍ଠି ଥିବା ଏକ ଅଳଙ୍କାର।
ତଡ଼ଗୀ: ଦେବୀ ସୁଭଦ୍ରାଙ୍କ ଚନ୍ଦ୍ରସୂର୍ଯ୍ୟର ଦୁଇ ପଟରେ ମସ୍ତକରେ ଲାଗି ହେଉଥିବା ଅଳଙ୍କାର।
ନଳିଭୁଜ: ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜକୁ ଆବୃତ କଲାଭଳି ସୁନାର ନଳି ସଦୃଶ ଏକ ଅଳଙ୍କାର।
ମୁଖପଦ୍ମ: କଳାକନା ଉପରେ ସୁନାର ପଦ୍ମଫୁଲ ସଜ୍ଜିତ ହୋଇ ମୁହଁର ଚାରିପଟରେ ବେଢ଼େଇ ଦିଆଯାଉଥିବା ଏକ ସ୍ବର୍ଣ୍ଣାଳଙ୍କାର।

ରାହୁରେଖା: ଠାକୁରମାନଙ୍କ ଶ୍ରୀମୁଖକୁ ଘେରି ସୁନାପାତିଆର ଧାର ଭଳି ଏକ ସ୍ବର୍ଣ୍ଣାଳଙ୍କାର। ରଥଯାତ୍ରା ପରେ ଭାଦ୍ରବ କୃଷ୍ଣ ପଞ୍ଚମୀ ବା ରେଖା ପଞ୍ଚମୀ ଦିନ ଏହା ପୁନଶ୍ଚ ଶ୍ରୀମୁଖରେ ଲାଗି ହୋଇଥାଏ।
ଶ୍ରୀଭୁଜ: ଠାକୁରମାନଙ୍କ ସୁବର୍ଣ୍ଣ ନିର୍ମିତ ଶ୍ରୀହସ୍ତ। ଏଥିରେ ଅଙ୍ଗୁଳି ଓ ଅଙ୍ଗୁଳିରେ ମୁଦ୍ରିକା ଲାଗିଥାଏ। ବେଶରେ ଶ୍ରୀଜଗନ୍ନାଥଙ୍କ ପାଇଁ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ରଙ୍କ ପାଇଁ ହଳ ମୁଷଳ ଏଥିରେ ଖଞ୍ଜା ଯାଇଥାଏ।
ଶ୍ରୀପୟର: ସ୍ବର୍ଣ୍ଣ ନିର୍ମିତ ପାଦ। ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କଠାରେ ଏହା ଲାଗି ହୋଇଥାଏ।
ଶ୍ରୀଜଗନ୍ନାଥ ନିଜର ସ୍ବର୍ଣ୍ଣ ଶ୍ରୀଭୁଜରେ ରୁପା ନିର୍ମିତ ଦିବ୍ୟ ଶଙ୍ଖ ଧାରଣ କରିଥାନ୍ତି। ସେହିପରି ସ୍ବର୍ଣ୍ଣ ଶ୍ରୀଭୁଜର ଦଶ ଆଙ୍ଗୁଳିରେ ନାନା ରତ୍ନ ଖଚିତ ମୁଦ୍ରିକା ପରିଧାନ କରିଥାନ୍ତି। ଏହିପରି ବିଭିନ୍ନ ବେଶରେ ଠାକୁରମାନେ ବହୁ ସ୍ବର୍ଣ୍ଣାଳଙ୍କାରରେ ମଣ୍ଡିତ ହୋଇ ଦର୍ଶନ ଦେଇଥାନ୍ତି।

ସୁନାବେଶ, ଭଲମଣିଷ ହେବାର ବାର୍ତ୍ତା ଦିଏ- ଡ. ସୁରେନ୍ଦ୍ର କୁମାର ମିଶ୍ର, ଐତିହ୍ୟ ବିଶାରଦ (ବକ୍ସ)
ଓଡ଼ିଶାର ଉପାସନା ପରମ୍ପରାରେ ଦେବୀ/ଦେବତାଙ୍କ ବେଶ ସୌନ୍ଦର୍ଯ୍ୟ ଚେତନାର ନିଦର୍ଶନ। ନିଜସ୍ବ ସୃଜନଶୀଳତା ଭକ୍ତଙ୍କୁ ବିମୋହିତ କରେ। ମହାପ୍ରଭୁଙ୍କୁ ଆକର୍ଷଣୀୟ କରିବା ହିଁ ଆନ୍ତରିକ ଇଚ୍ଛାଶକ୍ତି। ଏଥିରେ ଜ୍ଞାନ ଅପେକ୍ଷା ଭକ୍ତି ଅଧିକ। ଭକ୍ତ ନିଜର ଇଚ୍ଛାକୁ କେବଳ ଅଳଙ୍କାରରେ ସଜାଏ ନାହିଁ, ଫୁଲରେ ଓ ପୋଷାକରେ ବି ସଜାଏ। ଏଥିରେ ଥାଏ ଆତ୍ମତୃପ୍ତି। ମନୋବିଜ୍ଞାନୀଙ୍କ ଦୃଷ୍ଟିରୁ ପ୍ରଭୁ ମନନ ହେବା ପାଇଁ ଏହା ଏକ ମାଧ୍ୟମ। ସନାତନ ପରମ୍ପରାରେ କୁହାଯାଇଛି ‘ଅଳଙ୍କାରପ୍ରିୟ ହରି’। ଦାରୁଦିଅଁଙ୍କୁ ପ୍ରତିଦିନ ଫୁଲ ଓ ବସ୍ତ୍ରଭୂଷଣରେ ଭୂଷିତ କରାଯାଏ। କିନ୍ତୁ ସୁନାବେଶ କରାଯାଏ ପାଞ୍ଚଥର। ଆଷାଢ଼ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିର ବାହାରେ (ରଥ ଉପରେ) ଥରେ, ଶ୍ରୀମନ୍ଦିର ଭିତରେ ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ଚାରିଥର ସୁନାବେଶ କରାଯାଏ। ଏହି ବେଶର ସାମାଜିକ ବାର୍ତ୍ତା ହେଉଛି ସୁବର୍ଣ୍ଣ ଯୁଗ ସୃଷ୍ଟି ପାଇଁ ସୁନାପିଲା ହେବା। ଅର୍ଥାତ୍‌ ଭଲ ମଣିଷ ହେବା ଓ ଭିତରର ସୁବର୍ଣ୍ଣଗୁଣ(ଭଲ) ବିକଶିତ କରିବା।
ନିଜେ ସଜେଇ ହୁଅନ୍ତି ଠାକୁର : ମଧୂସୁଦନ ସିଂହାରୀ (ପୁଷ୍ପାଳକ ସେବକ)

ଶ୍ରୀମନ୍ଦିରରେ, ରଥରେ ଏବଂ ଗୁଣ୍ଡିଚା ଘରେ ଦାରୁଦିଅଁଙ୍କର ଯେତେ ବେଶ ହୁଏ ସେସବୁ ଆମେ ପୁଷ୍ପାଳକ ସେବକ ସମ୍ପାଦିତ କରିଥାଉ। ରଥରେ ସୁନାବେଶବେଳେ ଭଣ୍ଡାର ମେକାପ ସେବକ ଶ୍ରୀମନ୍ଦିର ଭଣ୍ଡାର ଘରୁ ଅଳଙ୍କାରମାନ ଆଣି ରଥ ବାଡ଼ଗ୍ରାହୀଙ୍କୁ ଦିଅନ୍ତି। ବାଡ଼ଗ୍ରାହୀ ସେସବୁ ଅଳଙ୍କାର ଆମକୁ ହସ୍ତାନ୍ତର କରନ୍ତି। ଏହାପରେ ଆମେମାନେ ଠାକୁରଙ୍କୁ ବେଶ କରିଥାଉ। ଶ୍ରୀମନ୍ଦିର ଭିତରେ ସୁନାବେଶବେଳେ ଭଣ୍ଡାର ମେକାପ ଅଳାଙ୍କାରମାନ ଆମକୁ ଦେଇଥାନ୍ତି। ଆମର ବଂଶାନୁକ୍ରମିକ ଭାବେ ଏହି ସେବା ଚାଲିଆସୁଛି। ୧୦ ବର୍ଷ ହେଲା ମୋତେ ବି ଏହି ସେବା କରିବାର ସୁଯୋଗ ମିଳିଛି। ସତ କହିବାକୁ ଗଲେ, ଆମେ କେବଳ ମାଧ୍ୟମ, ମହାପ୍ରଭୁ ନିଜେ ହିଁ ସଜେଇ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri