ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରରେ ସୋମବାର ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାରଫିଟା, ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହଙ୍କ ସୁନାବେଶ କରାଯାଇଥିଲା। କୋଭିଡ୍‌ କଟକଣା ପାଇଁ କୌଣସି ଶ୍ରଦ୍ଧାଳୁ ଏହି ବେଶ ଦର୍ଶନ କରିପାରି ନ ଥିଲେ। ଅବକାଶ ନୀତି ପରେ ତିନିବାଡରେ ଚନ୍ଦନ ଲାଗି କରାଯାଇଥିଲା। ନୂଆଲୁଗା ଲାଗିସାରିବା ପରେ ଠାକୁରଙ୍କ ସୁନାବେଶ ହୋଇଥିଲା। ଏହି ବେଶରେ ଆୟୁଧମାନ ଲାଗି ହୋଇ ନ ଥିଲା। ବେଶ ବଢି ସକାଳ ଧୂପ ପରେ ଆୟୁଧମାନଙ୍କ ମହାସ୍ନାନ ବଢି ବରୁଣ ପୂଜା କରାଯାଇଥିଲା। ତିନିଗୋଟି ରୁପା ଥାଳିରେ ଆୟୁଧମାନ ରଖାଯାଇ ଘଣ୍ଟ, ଛତା, କାହାଳୀ ସହ ତିନିଥର ମନ୍ଦିର ପରିକ୍ରମା କରାଇ ସିଂହାସନକୁ ବିଜେ କଲା ପରେ ତିନିବାଡ଼ରେ ଆୟୁଧ ଲାଗି ହୋଇଥିଲା। ଦଶହରା ପଦା (ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ)କୁ ଯିବା ପାଇଁ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀର ବେଶରେ ସଜ୍ଜିତ ହୋଇଥିଲେ। ଠାକୁରମାନେ ବୀରତ୍ୱର ପ୍ରତୀକ ସ୍ବରୂପ ବୀରବେଶ ଧାରଣ କରି ଦଶହରା ପଦାକୁ ଦୁର୍ଗାମାଧବଙ୍କ ସହିତ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୀତିକାନ୍ତି ସାରି ଶ୍ରୀମନ୍ଦିରକୁ ଫେରିଥିଲେ।

Share