ନିଜ ଇଚ୍ଛାରେ ଲିଙ୍ଗ ନିରୂପଣ କରିବା ଭୁଲ: ସୁନକ

ଇଂଲଣ୍ଡ,୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜଣେ ପୁରୁଷ ସର୍ବଦା ପୁରୁଷ ଏବଂ ଜଣେ ମହିଳା ଜଣେ ମହିଳା। ଏହା ଏକ ସାଧାରଣ ବିଷୟ। ନିଜ ଇଚ୍ଛା ଅନୁଯାୟୀ ଲିଙ୍ଗ ନିରୂପଣ କରିବା ଉଚିତ୍‌ ନୁହେଁ। ଆମେ ଦେଶକୁ ପରିବର୍ତ୍ତନ କରିବାକୁ ଯାଉଛୁ। ଏହା ଏକ ବିବାଦୀୟ ପରିସ୍ଥିତି ହେବା ଉଚିତ ନୁହେଁ। ଅଧିକାଂଶ ଲୋକ ଏଥିରେ ସହମତ ଅଟନ୍ତି। ପିଲାମାନେ ବିଦ୍ୟାଳୟରେ ସମ୍ପର୍କକୁ ନେଇ କଣ ଶିଖୁଛନ୍ତ ପିତାମାତାମାନେ ତାହା ଜାଣିବା ଆବଶ୍ୟକ ବୋଲି ସୁନକ କହିଛନ୍ତି।

ତାଙ୍କ ଅଭିଭାଷଣରେ ସୁନକ ଆହୁରି କହିଛନ୍ତି, ବ୍ରିଟେନ କୌଣସି ଜାତି ଆଧାରରେ ଭେଦଭାବ କରେ ନାହିଁ। ଏଠାରେ କାହାର ଚର୍ମ କେଉଁ ରଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନୁହେଁ। କଞ୍ଜରଭେଟିଭ ପାର୍ଟିରୁ ଆସିଥିବା ସୁନକ ତାଙ୍କ ଅଭିଭାଷଣରେ ଦଳକୁ ମହାନ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ମୁଁ ପ୍ରଥମ ବ୍ରିଟିଶ-ଏସୀୟ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଗର୍ବିତ।

ସୁନକଙ୍କ ଲିଙ୍ଗ ନିରୂପଣ କରିବା ବିବୃତ୍ତି ସୋସିଆଲ ମିଡିଆରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। କିଛି ଲୋକ ତାଙ୍କ ମତକୁ ସମର୍ଥନ କରିଛନ୍ତି, କିନ୍ତୁ ତୃତୀୟ ଲିଙ୍ଗ ସମ୍ପ୍ରଦାୟ ଏହି ଟିପ୍ପଣୀ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share