ସୁନକଙ୍କ ବିମାନ ଯାତ୍ରା ଖର୍ଚ୍ଚ ୫ ଲକ୍ଷ ପାଉଣ୍ଡ: ବିରୋଧୀଙ୍କ କଡ଼ା ସମାଲୋଚନା…

ଲଣ୍ଡନ,୧।୪ : ମୂଳ ଭାରତୀୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସମ୍ପ୍ରତିି ବିରୋଧୀ ଦଳର ନେତାଙ୍କ ଟାର୍ଗେଟରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ଦ୍ୱାରା ହୋଇଥିବା ବିମାନ ଯାତ୍ରା ପାଇଁ ଖର୍ଚ୍ଚ । ବାସ୍ତବରେ, ସୁନକ ଏକ ସପ୍ତାହ ମଧ୍ୟରେ କରିଥିବା ବିମାନ ଯାତ୍ରା ଖର୍ଚ୍ଚର ସବିଶେଷ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ସୁନକ ଏକ ସପ୍ତାହ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜେଟ ବିମାନରେ ପ୍ରାୟ ୫ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚର ସବିଶେଷ ତଥ୍ୟ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧୀଦଳ ନେତା ସୁନକ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି।

ଦ ଗାର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ ଗତ ବର୍ଷ ମାତ୍ର ଗୋଟିଏ ସପ୍ତାହରେ ଘରୋଇ ବିମାନରେ ଯାତ୍ରା କରି ଦେଶର ଆର୍ଥିକ ସ୍ଥିତି ଖରାପ ଥିବା ସମୟରେ ଏଭଳି ଖର୍ଚ୍ଚ କରିଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ ସିଓପି-୨୭ ଶିଖର ସମ୍ମିଳନୀରେ ସୁନକଙ୍କ ବ୍ୟକ୍ତିଗତ ଜେଟ ଯାତ୍ରା ପାଇଁ ୧୦୮ ହଜାର ପାଉଣ୍ଡରୁ କମ ଖର୍ଚ୍ଚ ହୋଇଛି। ଏଥିରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଗତ ବର୍ଷ ନଭେମ୍ବର ୬ରେ ତାଙ୍କର ଇଜିପ୍ଟ ଗସ୍ତ କେବଳ ଗୋଟିଏ ଦିନ ପାଇଁ ହୋଇଥିଲା। ଏକ ସପ୍ତାହ ପରେ ସେ ୧୩ ନଭେମ୍ବରରେ ଜି -୨୦ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ବାଲି ଯାଇଥିଲେ। ସେଠାରୁ ସେ ୧୭ ନଭେମ୍ବରରେ ଫେରିଥିଲେ। ଏହି ଯାତ୍ରାରେ ୩୪୦ ହଜାର ପାଉଣ୍ଡରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏହାର କିଛି ସମୟ ପରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଲାଟଭିଆ ଏବଂ ଇଷ୍ଟୋନିଆ ଗସ୍ତରେ ଯାଇଥିଲେ, ଯାହାର ଖର୍ଚ୍ଚ ୬୨ ହଜାର ପାଉଣ୍ଡରୁ ଅଧିକ ଥିଲା। ସେହିଭଳି ୨୦୨୨ର ତୃତୀୟ ତ୍ରୟମାସିକରେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରାରେ ୪୦ ହଜାର ପାଉଣ୍ଡ ଖର୍ଚ୍ଚ ହୋଇଥିଲା।

Share