ଖଣ୍ଡପଡ଼ା,୧୦ା୧୧(ଅଜୟ କୁମାର ମହାରଣା): ରାଜରାଜୁଡ଼ା ଅମଳରୁ ଖଣ୍ଡପଡ଼ା ସହରର ଉପକଣ୍ଠରେ ନିର୍ମାଣ ହୋଇଥିବା ସୁନାମୁହିଁ ଡ୍ୟାମ୍ ଏବେ ଶୁଖିବାକୁ ଲାଗିଛି। ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ସୁନାମୁହିଁ ଜଳଭଣ୍ଡାରର ଜଳଧାରଣ କ୍ଷମତା ସମୟାନୁକ୍ରମେ ହ୍ରାସ ପାଇବାରେ ଲାଗିଛି। ବର୍ଷା ଋତୁ ଯାଇ ଏବେ ଶୀତଋତୁ ଆରମ୍ଭରୁ ସୁନାମୁହିଁ ଜଳଭଣ୍ଡାରର ଚତୁଃପାର୍ଶ୍ୱ ଶୁଖିବାକୁ ଲାଗିଲାଣି। ଉକ୍ତ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଚାଷ ଜମିଗୁଡିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ସୁନାମୁହିଁ ଜଳ ଭଣ୍ଡାରରୁ ପଙ୍କୋଦ୍ଧାର କରାଯାଇନାହିଁ। ଜଳଭଣ୍ଡାରରେ ଜଳଧାରଣ କ୍ଷମତା କମିବାରେ ଲାଗିଛି। ଉକ୍ତ ଜଳଭଣ୍ଡାରରୁ ଚାଷ ଜମିଗୁଡିକୁ ସଂଯୋଗ କରାଯାଇଥିବା କେନାଲଗୁଡିକ ମଧ୍ୟ ଶୁଖିଲା ପଡିଛି। ଏକଦା ଖଣ୍ଡପଡ଼ା ଅଞ୍ଚଳର ହଜାର ହଜାର ଚାଷୀ ପରିବାରଙ୍କ ପାଇଁ ଜୀବନରେଖା ପାଲଟିଥିବା ଏହି ଜଳଭଣ୍ଡାରରୁ ପଙ୍କୋଦ୍ଧାର ସହ ଏହାର ପାରିପାର୍ଶ୍ୱିକ ଉନ୍ନତୀକରଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି।