Categories: ଖେଳ

ସୁନ୍ଦରଗଡ଼, ଇକୋର୍ସା, କଟକ-ବି ବିଜୟୀ

ଭୁବନେଶ୍ୱର, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍‌ଭର-ଏ ଗ୍ରୁପ୍‌ର ୩ଟି ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ସୁନ୍ଦରଗଡ ଓ କଟକ-ବି ବିଜୟୀ ହୋଇଛି। ଇକୋର୍ସାର ସମୀର ଆର. ସଫଳ ବ୍ୟାଟର ଭାବରେ ଶତକ ହାସଲ କରିଥିବା ବେଳେ ସ୍ବୟମ୍‌ ରାଉତରାୟ, ଜୟନ୍ତ ବେହେରା ଓ ଜାମଳା ମହାପାତ୍ର ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି।
ରେଭେନ୍ସା ଗ୍ରାଉଣ୍ଡ-୨: ଏଠାରେ ଖେଳାଯାଇଥିବା ମ୍ୟାଚରେ ସୁନ୍ଦରଗଡ ୧୫ ରନ୍‌ରେ ଭୁବନେଶ୍ୱର-ଏ’କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୁନ୍ଦରଗଡ ୪୮.୫ ଓଭରରେ ୨୩୬ ରନ୍‌ରେ ଅଲଆଉଟ ହୋଇଥିଲା। ଅଙ୍କିତ ସିଂ ୬୭ ଓ ସୌମ୍ୟ ଲେଙ୍କା ୫୧ ରନ୍‌ କରିଥିବା ବେଳେ ସ୍ବୟମ୍‌ ୩୦ ରନରେ ୫ ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ୱର-ଏ ୪୮.୨ ଓଭରରେ ୨୨୧ ରନ୍‌ରେ ଅଲଆଉଟ ହୋଇଥିଲା। ବିଶ୍ୱ ମୁଦୁଲି ୭୯ ରନ୍‌ କରିଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ: ଏଠାରେ ଖୋର୍ଦ୍ଧାକୁ ୯ ଉଇକେଟରେ ହରାଇଥିଲା ଇକୋର୍ସା। ପ୍ରଥମେ ବ୍ୟାଟିଂ କରି ଖୋର୍ଦ୍ଧା ୧୭୦ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଆର୍ଯ୍ୟଶ୍ରୀ ୯୩ ରନ୍‌ କରିଥିବା ବେଳେ ଜୟନ୍ତ ବେହେରା ୧୧ ରନ୍‌ରେ ୬ ଉଇକେଟ ନେଇଥିଲେ। ଜବାବରେ ସମୀରଙ୍କ ୧୦୭ ରନ୍‌ ବଳରେ ୨୮ ଓଭରରେ ଏକ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଇକୋର୍ସା।
ଅଡଶପୁର ଗ୍ରାଉଣ୍ଡ: ଏଠାରେ କଟକ-ବି ୧୦ ଉଇକେଟରେ ଭଦ୍ରକ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭଦ୍ରକ ୮୯ ରନ୍‌ରେ ସମସ୍ତ ଉଇକେଟ ହରାଇଥିବା ବେଳେ କଟକ କୌଣସି ଉଇକେଟ ନ ହରାଇ ମ୍ୟାଚ୍‌ ଜିତି ନେଇଥିଲା। କଟକ ପକ୍ଷରୁ ଜାମଳ ମହାପାତ୍ର ସଫଳ ବୋଲର ଭାବରେ ୨୪ ରନରେ ୫ ଉଇକେଟ ନେଇଥିଲେ।

Share