Categories: ଖେଳ

ରବିବାର ବହୁପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌

ନ୍ୟୁୟର୍କ,୮ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ବହୁପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ନ୍ୟୁୟର୍କରେ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଉ ନ ଥିବା ବେଳେ ବିଶ୍ୱକପ୍‌ ପରି ଆଇସିସି ଇଭେଣ୍ଟ ଉପରେ ଫ୍ୟାନମାନଙ୍କ ନଜରରେ ରହିଥାଏ। ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଏହି ମ୍ୟାଚ୍‌ଟି ଖେଳାଯିବ। ୩୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଚଳିତ ଟୁର୍ନାମେଣ୍ଟର ସବୁଠାରୁ ବଡ ଦର୍ଶକ ଦେଖା ଦେବାର ସମ୍ଭାବନା ରହିଛି। ଭାରତ ଓ ପାକିସ୍ତାନ ଟି୨୦ ବିଶ୍ୱକପ୍‌ରେ ୭ ଥର ସାମ୍ନାସାମ୍ନି ହୋଇଛନ୍ତି। ଭାରତ ଏଥିମଧ୍ୟରୁ ୬ଥର ଜିତିଥିବା ବେଳେ ପାକିସ୍ତାନ ଥରେମାତ୍ର ଜିତିଛି।

ଟି୨୦ ବିଶ୍ୱକପ୍‌ରେ ଆତଙ୍କବାଦୀ ଆକ୍ରମଣର ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ହାଇ ପ୍ରୋଫାଇଲ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ନାସାଉ ପୋଲିସ୍‌ କମିଶନର ପ୍ୟାଟ୍ରିକ ରାଇଡର। କିଛି ବର୍ଷ ତଳେ ରାଷ୍ଟ୍ରପତି ବାରାକ୍‌ ଓବାମା ନାସାଉ ଆସିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଯେଉଁଭଳି ରହିଥିଲା ଏହି ମ୍ୟାଚ୍‌ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଥିବା ରାଇଡର ସୂଚନା ଦେଇଛନ୍ତି। ସେହିପରି ନାସାଉ କାଉଣ୍ଟି ପୋଲିସ, ସଫୋଲ୍କ କାଉଣ୍ଟି, ନ୍ୟୁୟର୍କ ଷ୍ଟେଟ୍‌ , ଏଫ୍‌ବିଆଇ ଓ ହୋମଲାଣ୍ଡ ସିକ୍ୟୁରିଟି ଏହି ମ୍ୟାଚ୍‌ର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

Share